
ଭୁବନେଶ୍ବର : ପିତାପଲ୍ଲୀ-ଚନ୍ଦକା ରୋଡ଼ର ମା’ ଲଟାଭୁଆସୁଣୀ ମନ୍ଦିର ନିକଟରେ କ୍ରାଇମବ୍ରାଞ୍ଚ ସ୍ବତନ୍ତ୍ର କାର୍ୟ୍ୟବଳ (ଏସ୍ଟିଏଫ୍) ଚଢ଼ଉ କରି ଏକ ଜୀବନ୍ତ ବଜ୍ରକାପ୍ତା ଜବତ କରିବା ସହ ଦୁଇ ଆନ୍ତଃରାଜ୍ୟ ବନ୍ୟଜନ୍ତୁ ଚାଲାଣକାରୀଙ୍କୁ ଗିରଫ କରିଛି। ଜବତ ବଜ୍ରକାପ୍ତାର ଓଜନ ୧୪ କେଜି ୧୦୦ ଗ୍ରାମ ବୋଲି ଏସ୍ଟିଏଫ୍ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଚାଲାଣକାରୀ ସୁନ୍ଦରଗଡ଼ ଜିଲା ଭାସମା ଥାନା ଅବନକେଲା ଗାଁର ଗୋକୁଳ ଗୁପ୍ତା ଓ ରେଙ୍ଗାଲି ଥାନା ସାଗରପଲ୍ଲୀ ଗ୍ରାମର ତେଜରାମ ମେହେରଙ୍କୁ ଶନିବାର ଅଦାଲତ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବା ପରେ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। କଲକାତା ଦେଇ ଉକ୍ତ ବଜ୍ରକାପ୍ତାକୁ ଚୀନକୁ ଚାଲାଣ କରାଯାଉଥିବା ତଦନ୍ତରୁ ଏସ୍ଟିଏଫ୍ ଜାଣିବାକୁ ପାଇଛି। ସେହିପରି ମାମଲାରେ ଅଧିକ ତଥ୍ୟ ସଂଗ୍ରହ କରିବା ଲାଗି ଅଭିଯୁକ୍ତ ଦ୍ବୟଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବା ଲାଗି ଏସ୍ଟିଏଫ୍ ଯୋଜନା କରିଛି।