
ଭୁବନେଶ୍ୱର: ରାଜ୍ୟରେ ବିପର୍ୟ୍ୟସ୍ତ ଆଇନଶୃଙ୍ଖଳା ମହିଳାଙ୍କ ବିରୋଧରେ ଅପରାଧରେ ଅହେତୁକ ବୃଦ୍ଧି ବିରୋଧରେ ଓ ଏଫଏମ କଲେଜ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ବିଜୁ ଜନତା ଦଳ ତରଫରୁ କଟକ, ସମ୍ୱଲପୁର ଓ ବ୍ରହ୍ମପୁରରେ ଥିବା ଆରଡିସି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଅବସରରେ, ବିଜେଡିର ହଜାର ହଜାର କର୍ମୀ ସାମିଲ ହୋଇ ରାଜ୍ୟ ବିଜେପି ସରକାରଙ୍କ ବିରୋଧରେ ନାରାବାଜି କରି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ମୋହନ ସରକାର ହଟାଅ ନାରାରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଥିଲା । ଦଳ ତରଫରୁ ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ଲିଖିତ ଏକ ସ୍ମାରକପତ୍ର ଏହି ତିନି ଆରଡିସିଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥିଲା ।
ବିଜେଡି ତରଫରୁ ପ୍ରଦାନ କରାଯାଇଥିବା ସ୍ମାରକପତ୍ରରେ, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ୟ୍ୟସ୍ତ ହୋଇପଡିବା ସହିତ ନାରୀ, ଛାତ୍ରୀ ଓ ଶିଶୁ ମାନଙ୍କ ବିରୋଧରେ ଅପରାଧ ବୃଦ୍ଧିପାଇଛି ବୋଲି କୁହାଯାଇଛି । ଗୋପାଳପୁର ଗଣଦୁଷ୍କର୍ମ ଘଟଣା ସମଗ୍ର ରାଜ୍ୟକୁ ବ୍ୟଥିତ କରିଥିଲା ବେଳେ, ନ୍ୟାୟ ପାଇଁ ଦୀର୍ଘ ୬ ମାସ ଲଢ଼ିବା ପରେ ନ୍ୟାୟ ନପାଇ ଏଫଏମ କଲେଜ ଛାତ୍ରୀ ଆତ୍ମାହୂତି ଦେବା ଘଟଣା ସମଗ୍ର ଦେଶରେ ରାଜ୍ୟ ପାଇଁ ଲଜ୍ଜ୍ୟା ଓ ନିନ୍ଦା ଆଣିଛି । ଏଫଏମ କଲେଜ ଘଟଣା ରାଜ୍ୟବାସୀଙ୍କ ମନରୁ ନଲିଭୁଣୁ, ପୁରୀ ଜିଲ୍ଲାର ବଳଙ୍ଗା ଠାରେ ଗୋଟିଏ ନାବାଳିକାକୁ ଜିଅନ୍ତା ଜାଳିଦେବା ଉଦ୍ୟମ ଭଳି ହୃଦୟ ବିଦାରକ ଘଟଣା ଲୋକଲୋଚନକୁ ଆସିଛି । ଏହାଛଡା ଦୁଷ୍କର୍ମ, ଗଣଦୁଷ୍କର୍ମ ରାଜ୍ୟରେ ଏକ ନିତି ଦିନିଆ ଘଟଣା ହୋଇଛି । ରାଜ୍ୟରେ ପ୍ରତିଦିନ ୧୫ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି ।
ଏଫଏମ କଲେଜରେ ଛାତ୍ରୀ ଜଣକ ଦୀର୍ଘ ୬ ମାସ ଧରି ନ୍ୟାୟ ପାଇଁ ସଙ୍ଘର୍ଷ କରି ଆସୁଥିବା ବେଳେ, ସେ କଲେଜ ଅଧ୍ୟକ୍ଷଙ୍କ ସମ୍ମୁଖରେ ତାଙ୍କ ଅଭିଯୋଗ ଜଣାଇବା ବ୍ୟତୀତ ସ୍ଥାନୀୟ ପୋଲିସ, ଏସପି, ବିଧାୟକ, ସାଂସଦ, ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ, କେହି ତାଙ୍କୁ ନ୍ୟାୟ ପ୍ରଦାନ କରିନଥିଲେ । ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ, ଜଣେ ଉଚ୍ଚନ୍ୟାୟାଳୟର କାର୍ୟ୍ୟରତ ବିଚାରପତିଙ୍କ ଦ୍ୱାରା ନ୍ୟାୟିକ ତଦନ୍ତ ପାଇଁ ବିଜୁ ଜନତା ଦଳ ଦାବି କରୁଛି ବୋଲି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି । ରାଜ୍ୟର ତିନୋଟି ଯାକ ଆରଡିସି ଅଫିସ ସମ୍ମୁଖରେ ଦଳ ତରଫରୁ ପ୍ରଦର୍ଶନ କରାଯାଇଥିଲା ।