
ମାଲକାନଗିରି: ମାଲକାନଗିରି ପୁଲିସକୁ ବଡ଼ ସଫଳତା । ଆବୁଝମାଡ଼ ଜଙ୍ଗଲରୁ ଠାବ ହୋଇଛି ବଡ ଧରଣର ମାଓ ଡମ୍ପ । କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ସହ ଭାରି ମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଆବୁଝମାଡ଼ ଜଙ୍ଗଲରେ ଚାଲିଥିବା ସର୍ଚ୍ଚ ଅପରେସନ ସମୟରେ ଯବାନମାନେ ମାଓବାଦୀଙ୍କ ଏକ ବିଶାଳ ଡମ୍ପ୍ ଠାବ କରିଥିବା ବେଳେ ସେଠାରୁ ନଗଦ ୧ କୋଟି ୧ ଲକ୍ଷ ୬୪ ହଜାର ଟଙ୍କା ସହ AK-4, SLR, INSAS, 303 ରାଇଫଲ୍ ସହ LMG, BGL, ରକେଟ୍ ଲଞ୍ଚର୍ ଭଳି ଅନେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି ଜବାନ ।
ପୁଲିସ ସୂଚନା ଅନୁଯାୟୀ, ଆତ୍ମ ସମର୍ପଣ କରିଥିବା କିଛି ମାଓବାଦୀଙ୍କ ଠାରୁ ଗୁପ୍ତ ତଥ୍ୟ ମିଳିବା ପରେ ସୁରକ୍ଷାବାହିନୀ ଆବୁଝମାଡ଼ ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ଘଞ୍ଚ ଜଙ୍ଗଲ ମଧ୍ୟରେ ମାଟି ତଳେ ଲୁଚାଇ ରଖିଥିବା ଏକ ବଡ଼ ଡମ୍ପ୍ ଠାବ ହୋଇଥିଲା । ଏଥିରୁ ନଗଦ ଟଙ୍କା, ଅସ୍ତ୍ରଶସ୍ତ୍ର ସହ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ବଡ଼ ଧରଣର ଆକ୍ରମଣ କରିବା ଉଦ୍ଦେଶ୍ୟରେ ଏହି ଅସ୍ତ୍ରଶସ୍ତ୍ର ମହଜୁଦ୍ କରିଥିବା ପୁଲିସ ଅନୁମାନ କରୁଛି । ନାରାୟଣପୁର ଜିଲ୍ଲାକୁ ନକ୍ସଲ ମୁକ୍ତ କରାଯାଇଥିବା ଦାବି ହେଉଥିବା ସତ୍ତ୍ୱେ ଆବୁଝମାଡ଼ ଭଳି ଦୁର୍ଗମ ଜଙ୍ଗଲ ଅଞ୍ଚଳରେ ଏବେ ମଧ୍ୟ ମାଓବାଦୀଙ୍କ ଗୁପ୍ତ ଡମ୍ପ୍ ରହିଥିୁବା ନେଇ ପୁଲିସ ସତର୍କ ରହିଛି । ଆଗାମୀ ଦିନରେ ଅଧିକ ଚଢ଼ଉ ଅଭିଯାନ ଜାରି ରହିବ ବୋଲି ନାରାୟଣପୁର ପୁଲିସ କହିଛି।


