ଅପରେସନ୍ ସିନ୍ଦୂର: ପାକିସ୍ତାନର ୫ଟି ଯୁଦ୍ଧ ବିମାନ ଧ୍ବଂସ

ନୂଆଦିଲ୍ଲୀ: ଅପରେସନ୍‌ ସିନ୍ଦୂରକୁ ନେଇ ଚର୍ଚ୍ଚା ଲାଗି ରହିଛି । କାହାର କେତେ କ୍ଷତି ହୋଇଛି ତାକୁ ନେଇ ତର୍ଜମା ହେଉଛି । ଭାରତର ରାଫେଲ୍‌ ବିମାନ ଖସାଇଥିବା ନେଇ ବାରମ୍ବାର ଦାବି କରିଆସୁଛି ପାକିସ୍ତାନ । ଏପରିକି ଭାରତର ବିରୋଧୀ ଦଳ ମଧ୍ୟ ଏହାର ଜବାବ ସରକାରଙ୍କୁ ମାଗିଛନ୍ତି । ଏହାରି ମଧ୍ୟରେ ଭାରତୀୟ ବାୟୁ ସେନା ବଡ଼ ଖୁଲାସା କରିଛି । ଅପରେସନ୍‌ ସିନ୍ଦୂର ସମୟରେ ପାକିସ୍ତାନର ୫ଟି ଲଢ଼ୁଆ ବିମାନକୁ ଖସାଇ ଦେଇଛି ଭାରତୀୟ ବାୟୁ ସେନା । ଏନେଇ ଶନିବାର ବେଙ୍ଗାଲୁରୁରେ କହିଛନ୍ତି ବାୟୁ ସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶଲ ଏପି ସିଂହ । ସେ କହିଛନ୍ତି ଯେ, ୫ଟି ଲଢ଼ୁଆ ବିମାନ ସହିତ ଏକ AWACS (ଏୟାରବର୍ଣ୍ଣ ୱାର୍ଣ୍ଣିଂ ଆଣ୍ଡ୍ କଣ୍ଟ୍ରୋଲ୍ ସିଷ୍ଟମ୍) ମଧ୍ୟ ନଷ୍ଟ କରି ଦିଆଯାଇଛି । ବାୟୁ ସେନା ମୁଖ୍ୟ ଏହାର ଶ୍ରେୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ S-400କୁ ଦେଇଛନ୍ତି । ସେ କହିଛନ୍ତି ଯେ, S-400 ଜାକୋବାବାଦ ଏୟାରବେସରେ ପାକିସ୍ତାନର F-16 ଲଢ଼ୁଆ ବିମାନକୁ ଧ୍ବଂସ କରିଛି । ବିମାନ ଚଳାଚଳ ଇତିହାସରେ ପ୍ରଥମ ଥର ପାଇଁ, ଏକ କ୍ଷେପଣାସ୍ତ୍ର ୩୦୦ କିଲୋମିଟର ଦୂରରେ ଥିବା ଏକ ବିମାନ (ଶତ୍ରୁ ବିମାନ)କୁ ନଷ୍ଟ କରିପାରିଛି । ବେଙ୍ଗାଲୁରୁରେ ଏପି ସିଂହ କହିଛନ୍ତି ଯେ, ପାକିସ୍ତାନ ବିପକ୍ଷରେ ଏହି ବିଜୟରେ ରୁଷର ଏସ୍-୪୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।
ଏହା ସହ ସେ ବାହାୱଲପୁରରେ ଜୈଶ-ଏ-ମହମ୍ମଦ ମୁଖ୍ୟାଳୟ ଉପରେ ଆକ୍ରମଣର ସାଟେଲାଇଟ୍ ଚିତ୍ର ଦେଖାଇ କହିଛନ୍ତି, ‘ଏଗୁଡ଼ିକ ପୂର୍ବ ଏବଂ ପର ଚିତ୍ର । ଏଠାରେ ପ୍ରାୟ କୌଣସି ଅବଶେଷ ବାକି ନାହିଁ । ଆଖପାଖର କୋଠାଗୁଡ଼ିକ ପ୍ରାୟ ସମ୍ପୂର୍ଣ୍ଣ ସୁରକ୍ଷିତ । ଆମେ କେବଳ ସାଟେଲାଇଟ୍ ଫଟୋ ପାଇନଥିଲୁ, ବରଂ ସ୍ଥାନୀୟ ଗଣମାଧ୍ୟମ ମାଧ୍ୟମରେ ଭିତର ଚିତ୍ର ମଧ୍ୟ ପାଇଥିଲୁ।’ ଅପରେସନ ସିନ୍ଦୂର ସମ୍ପର୍କରେ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ୍ ଏପି ସିଂହ କହିଛନ୍ତି, ‘ଏହା ଏକ ହାଇଟେକ୍ ଯୁଦ୍ଧ ଥିଲା । ୮୦ ରୁ ୯୦ ଘଣ୍ଟାର ଯୁଦ୍ଧରେ ଆମେ ଏତେ କ୍ଷତି ପହଞ୍ଚାଇଲୁ ଯେ, ସେମାନେ ଅନୁଭବ କରିପାରିଲେ ଯଦି ସେମାନେ ଏହାକୁ ଜାରି ରଖନ୍ତି ତେବେ ସେମାନଙ୍କୁ ଏହାର ମୂଲ୍ୟ ଆହୁରି ଅଧିକ ଦେବାକୁ ପଡ଼ିବ । ତେଣୁ ସେମାନେ ଆଗକୁ ଆସି ଆମର ଡିଜିଏମଓଙ୍କୁ ବାର୍ତ୍ତା ପଠାଇଲେ । ସେମାନେ ଆଲୋଚନା କରିବାକୁ ଚାହୁଁଛନ୍ତି ବୋଲି କହିଲେ । ଆମ ପକ୍ଷରୁ ଏହାକୁ ଗ୍ରହଣ କରାଯାଇଥିଲା।’
ଭାରତ ମେ ୭ ତାରିଖରେ ପାକିସ୍ତାନ ବିରୋଧରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା । ଯେଉଁଥିରେ ପିଓକେ ଏବଂ ପାକିସ୍ତାନରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରାଯାଇଥିଲା। ଭାରତୀୟ ସେନା ଦ୍ୱାରା କରାଯାଇଥିବା ଏହି ଅପରେସନରେ ୧୦୦ ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ। ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ବିରୋଧରେ ଭାରତ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିଲେ ।

  • Related Posts

    ଭାରତ ଦୂତାବାସକୁ ଗ୍ୟାସ, ପାଣି ଯୋଗାଣ ବନ୍ଦ କଲେ ପାକିସ୍ତାନ ସରକାର

    ନୂଆଦିଲ୍ଲୀ: ଅପରେସନ ସିନ୍ଦୂରକୁ ନେଇ ଭାରତ ଓ ପାକିସ୍ତାନ ମ୍ମରେ କୂଟନୈତିକ ଲଢେଇ ତୀବ୍ର ହୋଇଛି । ରିପୋର୍ଟ ଅନୁଯାୟୀ ଇସଲାମାବାଦସ୍ଥିତ ଭାରତୀୟ ଦୂତାବାସ କାର୍ଯ୍ୟାଳୟକୁ ପାକିସ୍ତାନ ସରକାର ପାଣି ଓ ଗ୍ୟାସ ଯୋଗାଣ ବନ୍ଦ କରିଦେଇଥିବା ଜଣାପଡିଛି । ଏହା…

    Continue reading
    ଇସ୍ରାଏଲ ଆକ୍ରମଣରେ ୫ ଅଲ୍‌ ଜଜିରା ସାମ୍ବାଦିକ ମୃତ

    ଗାଜା: ଇସ୍ରାଏଲ ପକ୍ଷରୁ ରବିବାର ରାତିରେ ପାଲେଷ୍ଟାଇନର ଗାଜା ସହର ଉପରେ ପ୍ରବଳ ବୋମାମାଡ କରାଯାଇଥିବାବେଳେ ଅଲ୍‌ ଜଜିରା ନ୍ୟୁଜ୍‌ ଚ୍ୟାନେଲର ୫ ଜଣ ସାମ୍ବାଦିକ ଙ୍କ ସମତେ ମୋଟ ୭ ଜଣ ପ୍ରାଣ ହରାଇଛନ୍ତି । ଏମାନେ ହେଲେ ଆନାସ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାରେ ୨ଟି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

    ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ପଦବୀ ପୂରଣ ପାଇଁ ଗଠନ ହେବ ସ୍ୱତନ୍ତ୍ର ପୋଲିସ ନିଯୁକ୍ତି ବୋର୍ଡ

    ସ୍ୱଚ୍ଛ ଶକ୍ତି ଅଭିବୃଦ୍ଧିରେ ବ୍ୟାଟେରି ଶକ୍ତି ସଂରକ୍ଷଣ ବିପ୍ଳବ ଆଣିବ – ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

    ତଟରେଖା ଠାରୁ ଆକାଶରେଖା ପର୍ଯ୍ୟନ୍ତ ଓଡ଼ିଶା ସାମୁଦ୍ରିକ ବୋର୍ଡ ଏକ ଅସୀମ ସାମୁଦ୍ରିକ ଭବିଷ୍ୟତ ଆଡ଼କୁ ଅଗ୍ରସର ହେଉଛି

    ନିର୍ଦ୍ଧାରିତ ସମୟ ମଧ୍ୟରେ ରାଜ୍ୟବାସୀଙ୍କୁ ସ୍ଵଚ୍ଛ ନିରାପଦ ପାନୀୟ ଜଳ ଯୋଗାଣ ପାଇଁ ଉତ୍ତରଦାୟୀ ହେବେ ଅଧିକାରୀ ମନ୍ତ୍ରୀ

    ଜାତୀୟ ଆଇଟିଆଇ ଉନ୍ନତିକରଣ ଯୋଜନା ପାଇଁ ଉଚ୍ଚସ୍ତରୀୟ ପରାମର୍ଶଦାତା କର୍ମଶାଳାର ଆୟୋଜିତ