ମାଲକାନଗିରି/କୋରାପୁଟ,24/08: ଜାତୀୟ ଶିକ୍ଷକ ସମ୍ମାନ-୨୦୨୫ ପାଇଁ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଓଡ଼ିଶାର ଦୁଇ ଜଣ ଶିକ୍ଷକଙ୍କୁ ସାମିଲ କରାଯାଇଛି। ସେମାନେ ହେଲେ ମାଲକାନଗିରିର ଶିକ୍ଷକ ବସନ୍ତ କୁମାର ରଣା ଓ କୋରାପୁଟ ଜିଲ୍ଲାର ତରୁଣ କୁମାର ଦାଶ। କୋଣ୍ଡେଲ ନୂତନ ସରକାରୀ ଉଚ୍ଚବିଦ୍ୟାଳୟର ଶିକ୍ଷକତା କରୁଛନ୍ତି ବସନ୍ତ। ସେହିପରି କୋରାପୁଟ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ଯାଳୟରେ ଶିକ୍ଷକ ଅଛନ୍ତି ତରୁଣ। ଆସନ୍ତା ଗୁରୁଦିବସରେ ଉଭୟଙ୍କୁ ରାଷ୍ଟ୍ରପତି ସମ୍ମାନିତ କରିବେ। ଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ହେବ ଏହି ସମାରୋହ।
ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର କୁନି କୁନି ପିଲାଙ୍କୁ ଭଲ ପାଉଥିବା ଶିକ୍ଷକ ଓ ଶିକ୍ଷାକୁ ବୃତ୍ତି ଭାବେ ବାଛି ନେଇଥିବା ଶିକ୍ଷକ ବସନ୍ତ କୁମାର ରଣା ୨୦୨୫ ମସିହା ପାଇଁ ପାଇବେ ଜାତୀୟ ଶିକ୍ଷକ ପୁରସ୍କାର। ମାଲକାନଗିରି ଜିଲ୍ଲାର କନ୍ଦେଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟରତ ବସନ୍ତ କୁମାର ରଣା ଚଳିତ ବର୍ଷ ପାଇଁ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସଦା ସର୍ବଦା ଚେଷ୍ଟିତ ଏହି ଶିକ୍ଷକ ଛାତ୍ରଛାତ୍ରୀମାନଙ୍କ ପାଇଁ ଉତ୍ସର୍ଗୀକୃତ। ସେ ଏହି ପୁରସ୍କାର ପାଇଁ ୫୦୦୦୦ ଅର୍ଥ ରାଶି ଓ ମାନ ପତ୍ର ୫ ସେପ୍ଟେମ୍ବର ୨୦୨୫ ଦିନ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଗ୍ରହଣ କରିବେ। ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ମାଲକାନଗିରି ଚିତ୍ତ ରଞ୍ଜନ ପାଣିଗ୍ରାହୀ ଉକ୍ତ ଶିକ୍ଷକଙ୍କୁ ଅଭିନନ୍ଦନ ଓ ଶୁଭକାମନା ଜଣାଇଛନ୍ତି।