
ନୂଆଦିଲ୍ଲୀ: କ୍ରିକେଟରୁ ସନ୍ନ୍ୟାସ ନେଲେ ଭାରତୀୟ ଦଳର ତାରକା ବ୍ୟାଟ୍ସମ୍ୟାନ ଚେତେଶ୍ଵର ପୂଜାରା। ଟେଷ୍ଟ କ୍ରିକେଟରେ ସର୍ବଦା ପ୍ରଭାବୀ ପ୍ରଦର୍ଶନ କରୁଥିବା ପୂଜାରା ନିଜ ଅବସର ସମ୍ପର୍କରେ ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି। କ୍ରିକେଟର ସମସ୍ତ ଫର୍ମାଟରୁ ସେ ସନ୍ନ୍ୟାସ ନେଇଥିବା କହିଛନ୍ତି।୩୭ ବର୍ଷୀୟ ପୂଜାରା ରବିବାର ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏକ ପୋଷ୍ଟ କରି କ୍ରିକେଟ କ୍ୟାରିୟରରୁ ବିରାମ ନେଉଥିବା କହିଛନ୍ତି। ସେ ଲେଖିଛନ୍ତି, ଭାରତୀୟ ଜର୍ସି ପିନ୍ଧିବା, ରାଷ୍ଟ୍ରଗୀତ ଗାନ କରିବା ଏବଂ ପ୍ରତ୍ୟେକ ଥର ପଡ଼ିଆରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଉଦ୍ୟମ କରିବା, ଏସବୁକୁ ଶବ୍ଦରେ ପରିପ୍ରକାଶ କରିବା କଷ୍ଟକର। କିନ୍ତୁ କୁହାଯାଏ, ସମସ୍ତ ଭଲ ଜିନିଷର ଅନ୍ତ ରହିଛି। ମୁଁ ହୃଦୟରୁ କୃତଜ୍ଞ ରହିଛି ଏବଂ ସମସ୍ତ ଫର୍ମାଟର କ୍ରିକେଟକୁ ଅଲବିଦା କହିବାକୁ ନିଷ୍ପତ୍ତି ନେଇଛି।
ପୂଜାରାଙ୍କ ଟେଷ୍ଟ କ୍ୟାରିୟର ସବୁଠୁ ଉନ୍ନତ ରହିଥିଲା। ସେ ୧୦୩ ଟେଷ୍ଟ ମ୍ୟାଚ ଖେଳି ହାରାହାରି ୪୩.୬ରେ ୭୧୯୫ ରନ ସଂଗ୍ରହ କରିଛନ୍ତି। ଯେଉଁଥିରେ ୧୯ ଶତକ ଏବଂ ୩୫ ଅର୍ଦ୍ଧଶତକ ସାମିଲ ରହିଛି। ସେ ନିଜର ଶେଷ ମ୍ୟାଚ ୨୦୨୩ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ ଫାଇନାଲରେ ଖେଳିଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ଏହି ମ୍ୟାଚରେ ସେ ୪୧ ରନ କରିଥିଲେ।