
ୱାଶିଂଟନ: ତୁର୍କୀକୁ ୩୦୪ ନିୟୁତ ଡଲାର ମୂଲ୍ୟର ଅତ୍ୟାଧୁନିକ କ୍ଷେପଣାସ୍ତ୍ର ବିକ୍ରି କରିବ ବୋଲି ଆମେରିକା ନିଷ୍ପତ୍ତି ନେଇଛି। ତୁର୍କୀର ଇସ୍ତାନବୁଲରେ ଅନୁଷ୍ଠିତ ନାଟୋ ସଂଗଠନର ବିଦେଶ ମନ୍ତ୍ରୀଙ୍କ ବୈଠକରେ ଯୋଗ ଦେବା ଅବସରରେ ଆମେରିକାର ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ତୁର୍କୀ ବର୍ତ୍ତମାନ ଆମେରିକା ନେତୃତ୍ବାଧୀନ ନାଟୋ (ନର୍ଥ ଆଟଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେସନ)ର ସଦସ୍ୟ ରହିଛି।
ସୂଚନା ମୁତାବକ ୨୨୫ ନିୟୁତ ଡଲାର ମୂଲ୍ୟରେ ୫୩ଟି ଏୟାର ଟୁ ଏୟାର କ୍ଷେପଣାସ୍ତ୍ର ଏବଂ ୮୦ ନିୟୁତ ଡଲାର ମୂଲ୍ୟରେ ୬୦ଟି ବ୍ଲକ୍-୨ କ୍ଷେପଣାସ୍ତ୍ର ବିକ୍ରି କରିବାକୁ ତୁର୍କୀ ପକ୍ଷରୁ ଆମେରିକାକୁ ଅନୁରୋଧ କରାଯାଇଥିଲା। ତୁର୍କୀ ନାଟୋ ସଦସ୍ୟ ହୋଇଥିଲେ ସୁଦ୍ଧା ବର୍ତ୍ତମାନ ଆମେରିକାର ବିଷ ଦୃଷ୍ଟିରେ ରହିଛି। ତୁର୍କୀ ଇତିମଧ୍ୟରେ ରୁଷ୍ରୁ ମିସାଇଲ ଡିଫେନ୍ସ ସିଷ୍ଟମ କିଣିଥିବା ଏବଂ ତୁର୍କୀ ପ୍ରତି ବିପଦ ସୃଷ୍ଟି କରୁଥିବା ସିରିୟାର କୁର୍ଦିସ ବିଦ୍ରୋହୀଙ୍କୁ ଆମେରିକା ସମର୍ଥନ କରୁଥିବାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇପଡିଛି। ଏହି ପରିପ୍ରେକ୍ଷୀରେ ମତାନ୍ତର ଦୂର କରିବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବାକୁ ତୁର୍କୀ ରାଷ୍ଟ୍ରପତି ତାଇପ୍ ଏର୍ଦୋଗାନ୍ ଆଗ୍ରହ ପ୍ରକାଶ କରିଥିବା ଜଣାପଡିଛି।