
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ପୂର୍ବରୁ କଂଗ୍ରେସର ଶାନ୍ତିପୂର୍ଣ୍ଣ ଧାରଣା। ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନେତୃତ୍ୱରେ କଂଗ୍ରେସ ନେତାମାନେ ଭୁବନେଶ୍ଵର ଲୋୟର ପିଏମଜିରେ ଧାରଣା ଦେଇଛନ୍ତି। ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ସୁରେଶ କୁମାର ରାଉତରାୟଙ୍କ ସମେତ ବହୁ କଂଗ୍ରେସ ନେତା ଯୋଗ ଦେଇଛନ୍ତି। ଅପରପକ୍ଷେ, ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ବେଳେ କଳା ପତାକା ପ୍ରଦର୍ଶନଠୁ ଆରମ୍ଭ କରି କିଛି ଅପ୍ରୀତିକର ପରିସ୍ଥିତି ଆଶଙ୍କା କରି ୬ ଯୁବନେତାଙ୍କୁ ଅଟକ ରଖାଯାଇଛି। ୟାଶିର ନାୱାଜ, ରଣଜିତ ପାତ୍ର ପ୍ରମୁଖଙ୍କୁ ପୁଲିସ ଆଗୁଆ ଉଠାଇ ନେଇଛି।
ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ କାର୍ୟ୍ୟକ୍ରମ ଅବସରରେ ପିସିସି ସଭାପତି ଭକ୍ତଚରଣ ଦାସ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, ଯାଜପୁର ଜିଲ୍ଲାରେ ପାଞ୍ଚ ହଜାରରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ। ପ୍ରଧାନମନ୍ତ୍ରୀ ସେଠାକୁ ଯାଇ ସ୍ଥିତି ଅନୁଧ୍ୟାନ କରି ଉନ୍ନତ ସ୍ଵାସ୍ଥ୍ୟସେବା ପାଇଁ ପଦକ୍ଷେପ ନେବେକି ? ଗୋପାଳପୁର ଓ କେନ୍ଦୁଝର ଦୁଷ୍କର୍ମ ପୀଡିତାଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ଭେଟିବେ କି? ଆଇନ ଶୃଙ୍ଖଳା ପରିସ୍ଥିତି ସୁଧାରିବା ପାଇଁ କିଛି ପଦକ୍ଷେପ ନେବେ କି ? ପିସିସି ସଭାପତି କହିଛନ୍ତି ଯେ, ଯଦି ପ୍ରଧାନମନ୍ତ୍ରୀ ଏହି ସବୁ କାମ କରିବେ ତେବେ ଆମେ ପ୍ରାଧନମନ୍ତ୍ରୀଙ୍କ ଗସ୍ତକୁ ସ୍ଵାଗତ କରିବୁ। ନଚେତ୍ ସନ୍ଧ୍ୟା ୬ଟା ଯାଏଁ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେବୁ।