
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ହେଲେ ମୋଦିଙ୍କ ଗସ୍ତ ପୂର୍ବରୁ କଂଗ୍ରେସର ଯୁବଛାତ୍ର ନେତାଙ୍କୁ ପୋଲିସ ଉଠାଇ ନେଇଛି। ସୟଦ ୟାସିର୍ ନୱାଜଙ୍କ ସମେତ ୬ଜଣ କଂଗ୍ରେସ ନେତା ଅଟକ ରହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ କେନ୍ଦ୍ର ସରକାରକୁ ୧୧ବର୍ଷ ପୂରିଥିବା ବେଳେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରକୁ ଏକବର୍ଷ ପୂରିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଜନତା ମଇଦାନରେ ବର୍ଷପୂର୍ତ୍ତି କାର୍ୟ୍ୟକ୍ରମ ଆୟୋଜନ କରିଛନ୍ତି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ପାଇଁ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦୀ ଦୁଇ ଘଣ୍ଟିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି।
ଅପରାହ୍ଣ ୩ଟା ୪୫ମିନିଟରେ ଭାରତୀୟ ବାୟୁସେନାର ସ୍ବତନ୍ତ୍ର ବିମାନ ଦ୍ବାରା ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବେ। ସେଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହିତ କେନ୍ଦ୍ର ଓ ରାଜ୍ୟ ବିଜେପିରଶୀର୍ଷସ୍ତରୀୟ ନେତୃବୃନ୍ଦ ଏବଂ ବିଜେପି କାର୍ୟ୍ୟକର୍ତ୍ତା ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବେ। ପରେ ବିମାନ ବନ୍ଦରଠାରେ ଆୟୋଜିତ ତ୍ରିରଙ୍ଗା ଯାତ୍ରାରେ ସାମିଲ ହୋଇ ରୋଡ୍ ଶୋ’ରେ ବାହାରିବେ। କଳିଙ୍ଗ ଷ୍ଟାଡିୟମଠାରୁ ଜନତା ମଇଦାନ ପର୍ୟ୍ୟନ୍ତ ବିଶାଳ ରୋଡ଼ ଶୋ’ କରାଯିବ।ରାସ୍ତାର ଉଭୟ ପାର୍ଶ୍ବରେ ବିଜେପି କାର୍ୟ୍ୟକର୍ତ୍ତା ଏବଂ ଜନସାଧାରଣଙ୍କୁ ଅଭିବାଦନ ଜଣାଇବେ ପ୍ରଧାନମନ୍ତ୍ରୀ।