ଲର୍ଡସ ଟେଷ୍ଟ: ବିଜୟଲକ୍ଷ୍ୟ ୧୯୩; ଭାରତ ୪/୫୮

ଲର୍ଡସ: ଚଳିତ ତୃତୀୟ ଟେଷ୍ଟମ୍ୟାଚ୍‌କୁ ଜିତି ଶୃଙ୍ଖଳାରେ ୨-୧ରେ ଆଗୁଆ ହେବା ଲାଗି ଭାରତୀୟ ଦଳକୁ ୨ୟ ଇନିଂସରେ ୧୯୩ ରନ୍‌ କରିବାକୁ ପଡ଼ିବ। ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବ​‌ଳରେ ଭାରତ ଏହି ସୁଯୋଗ ପାଇଛି। ପ୍ରଥମ ୩ ଦିନରେ ୨୦ଟି ୱିକେଟ ପଡ଼ିବା ପରେ ରବିବାର ଚତୁର୍ଥ ଦିନରେ ୧୪ଟି ୱିକେଟ୍‌ ପଡ଼ିଛି। ୱାଶିଂଟନ ସୁନ୍ଦର ୪ଟି ୱିକେଟ୍‌ ନେବା ସହ ଭାରତୀୟ ବୋଲର ସାମୂହିକ ସଫଳତା ହାସଲ କରିବା ଯୋଗୁଁ ଦ୍ବିତୀୟ ଇନିଂସରେ ଇଂଲଣ୍ଡ ନିୟମିତ ବ୍ୟବଧାନରେ ୱିକେଟ୍‌ ହରାଇଥିଲା। ଜୋ ରୁଟ୍‌ ଓ ବେନ୍ ଷ୍ଟୋକ୍‌ସଙ୍କ ଉପଯୋଗୀ ଇନିଂସ ସତ୍ତ୍ବେ ଇଂଲଣ୍ଡ ଦ୍ବିତୀୟ ଇନିଂସରେ ୧୯୨ ରନ୍‌କରି ଅଲ୍‌ଆଉଟ ହୋଇ ଯାଇଥିଲା। ଫଳରେ ଶୃଙ୍ଖଳାରେ ଆଗୁଆ ହେବା ଲାଗି ଭାରତକୁ ୨ୟ ଇନିଂସରେ ୧୯୩ ରନ୍‌ର ବିଜୟଲକ୍ଷ୍ୟ ମିଳିଛି। ଏହାର ପିଛାକରି ୪ର୍ଥ ଦିନ ଶେଷରେ ଭାରତ ୪ ୱିକେଟ ହରାଇ ୫୮ ରନ୍‌ କରିପାରିଛି। ୬ ୱିକେଟ୍ ହାତରେ ଥାଇ ଜିତିବା ପାଇଁ ଭାରତ ଆଉ ୧୩୫ ରନ୍‌ ଆବଶ୍ୟକ କରୁଛି। ଲର୍ଡସ ଲଢ଼େଇ ଜିତିବା ଲାଗି ଇଂଲଣ୍ଡ ଦଳକୁ ଆଉ ୬ଟି ୱିକେଟ ନେବାକୁ ପଡ଼ିବ।

ଚା’ପାନ ବିରତି ପରେ ଭାରତ ୧୯୩ ରନ୍‌ ବିଜୟ ଲକ୍ଷ୍ୟରେ ୨ୟ ଇନିଂସ ଆରମ୍ଭ କରିଥିଲା। କ୍ରମାଗତ ୨ୟ ମ୍ୟାଚ୍‌ରେ ଯଶସ୍ବୀ ଜୟସୱାଲ ବିଫଳ ​‌େ​‌ହାଇ ଖାତା ଖୋଲିବା ପୂର୍ବରୁ ଆଉଟ୍‌ ହୋଇଥିଲେ। ପରେ କର୍ଣ୍ଣାଟକର ଦୁଇ ବ୍ୟାଟ୍‌ସମ୍ୟାନ କେ.ଏଲ୍‌. ରାହୁଲ ଓ କରୁଣ ନାୟାର ଦଳର ସ୍କୋର୍‌କୁ ୪୧ ରନ୍‌ରେ ପହଞ୍ଚାଇଥିଲେ। ନାୟାର ଗୋଟିଏ ଚୌକା ସହ ୧୪ ରନ୍‌କରି ଆଉଟ୍‌ ହୋଇଥିଲେ। ଭାରତକୁ ସବୁଠାରୁ ବଡ଼ ଧକ୍କା ଲାଗିଥିଲା; ଯେତେବେଳେ ଫର୍ମରେ ଥିବା ଅଧିନାୟକ ଶୁଭମନ ଗିଲ୍‌ ଆଉଟ୍‌ ହୋଇ ଯାଇଥିଲେ। ଏହି ଯୁବ ବ୍ୟାଟ୍‌ସମ୍ୟାନ ୬ ରନ୍‌ କରି ପାରିଥିଲେ। ଦିନର ଅନ୍ତିମ ଓଭରରେ ନାଇଟ୍‌ ୱାଚ୍‌ମ୍ୟାନ ଆକାଶ ଦୀପ ୧ ରନ୍‌କରି ବିଦାୟ ନେଇଥିଲେ। ତେବେ ଫର୍ମରେ ଥିବା କେ.ଏଲ୍‌. ରାହୁଲ ୪୬ ବଲ୍‌ରୁ ୬ଟି ଚୌକା ସହ ୩୩ ରନ୍‌କରି ଅପରାଜିତ ଅଛନ୍ତି। ବ୍ରାଇଡନ୍‌ କାର୍ସ ୨ଟି ଏବଂ ଜୋଫ୍ରା ଆର୍ଚର ଓ ବେନ୍ ଷ୍ଟୋକ୍‌ସ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଛନ୍ତି।

ଇଂଲଣ୍ଡ ଓ ଭାରତର ପ୍ରଥମ ଇନିଂସ ସ୍କୋର୍‌ ସମାନ ହେବା ପରେ ମ୍ୟାଚ୍‌ର ୨ୟ ଇନିଂସ ଟାଇବ୍ରେକର ପରି ହୋଇ ଯାଇଥିଲା। ତେଣୁ ରବିବାର ୪ର୍ଥ ଦିନରେ ରୋଚକ ଲଢ଼େଇ ଦେଖିବାକୁ ମିଳିଥିଲା। ତେବେ ଭାରତୀୟ ବୋଲର ନିୟମିତ ଭାବେ ୱିକେଟ୍‌ ନେଇ ବିଜୟ ସମ୍ଭାବନା ସୃଷ୍ଟି କରି ପାରିଛନ୍ତି। ୨ୟ ଇନିଂସରେ ମହମ୍ମଦ ସିରାଜ୍‌ ଇଂଲଣ୍ଡର ଉପର ଅର୍ଡରକୁ, ୱାଶିଂଟନ ସୁନ୍ଦର ମଧ୍ୟକ୍ରମକୁ ଓ ଯଶପ୍ରୀତ ବୁମ୍‌ରା ତଳ ଅର୍ଡରକୁ ଧ୍ବସ୍ତ କରିଥିଲେ। ୪ର୍ଥ ଦିନରେ ଭୋଜନ ବିରତି ପୂର୍ବରୁ ଭାରତ ୪ଟି ୱିକେଟ୍‌ ନେଇ ମ୍ୟାଚ୍‌ର ମଙ୍ଗକୁ ନିଜ ଆଡ଼କୁ ମୋଡ଼ି ପାରିଥିଲା। ମହମ୍ମଦ ସିରାଜ୍ ପ୍ରଥମ ୨ଟି ୱିକେଟ୍‌ ନେଇଥିଲେ। ଏକ ସର୍ଟ ପିଚ୍‌ ବଲ୍‌କୁ ପୁଲ୍‌ କରିବାକୁ ଯାଇ ମିଡ୍‌ ଅନ୍‌​‌େ​ର ଥିବା ଯଶପ୍ରୀତ ବୁମ୍‌ରାଙ୍କୁ କ୍ୟାଚ୍‌ ଦେଇଥିଲେ ବେନ୍‌ ଡକେଟ୍‌। ବାମହାତି ଡକେଟ୍‌ ୧୨ ରନ୍‌ କରିଥିଲେ। ପରେ ସିରାଜ୍‌ଙ୍କ ଏକ ମାରାତ୍ମକ ଇନ୍‌ସ୍ବିଙ୍ଗରରେ ଓଲି ପୋପ୍‌ ବୋଲ୍‌ଡ ହୋଇଥିଲେ। ପୋପ୍ ମାତ୍ର ୪ ରନ୍‌ କରି ପାରିଥିଲେ। ପରେ ଓପ୍‌ନର ଜ୍ୟାକ୍‌ କ୍ରଲିଙ୍କୁ ଆଉଟ୍‌କରି ଭାରତକୁ ବଡ଼ ସଫଳତା ଦେଇଥିଲେ ନୀତୀଶ କୁମାର ରେଡ୍‌ଡୀ। କ୍ରଲି ୪୯ ବଲ୍‌ ଖେଳି ୩ଟି ଚୌକା ସହ ୨୨ ରନ୍‌ କରିଥିଲେ। ବିଶ୍ବର ୧ନଂ ଟେଷ୍ଟ ବ୍ୟାଟ୍‌ସମ୍ୟାନ୍ ହ୍ୟାରୀ ବ୍ରୁକ୍‌ ଷ୍ଟ୍ରୋକ୍‌ ଖେଳି ଏହି ବିପଦରୁ ବାହାରିବାର ପ୍ରୟାସ କରିଥିଲେ। ବେପରୁଆ ସଟ୍‌ ଖେଳିବା ହିଁ ବ୍ରୁକ୍‌ଙ୍କ ପତନର କାରଣ ହୋଇଥିଲା। ବ୍ରୁକ୍‌ ୧୯ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୨୩ ରନ୍‌କରି ପ୍ୟାଡ୍‌ଲ ସ୍ବିପ୍ ମାରି ବୋଲ୍‌ଡ ହୋଇଥିଲେ। ୮୭ ରନ୍‌ରେ ଇଂଲଣ୍ଡ ୪ଟି ୱିକେଟ୍‌ ହରାଇ ସଙ୍କଟରେ ଥିବା ବେଳେ ଦଳର ଦୁଇ ସବୁଠାରୁ ଅଭିଜ୍ଞ ବ୍ୟାଟ୍‌ସମ୍ୟାନ୍ ଜୋ ରୁଟ୍‌ ଓ ବେନ୍ ଷ୍ଟୋକ୍‌ସ ଇନିଂସକୁ ଦୃଢ଼ତା ଦେବାର ପ୍ରୟାସ କରିଥିଲେ। ଦୁହେଁ ୫ମ ୱିକେଟ୍‌ ୬୭ ରନ୍‌ ଯୋଡ଼ିଥିଲେ। ରୁଟ୍‌ ଗୋଟିଏ ଚୌକା ସହ ୪୦ ରନ୍‌ କରିଥିଲେ। ଷ୍ଟୋକ୍‌ସ ୩ଟି ଚୌକା ସହ ୩୩ ରନ୍‌ କରିଥିଲେ। କ୍ରିସ୍‌ ୱକ୍‌ସ ୧୦ ରନ୍‌ କରିଥିଲେ। ୩୮ ରନ୍‌ରେ ଇଂଲଣ୍ଡ ଶେଷ ୬ଟି ୱିକେଟ୍‌ ହରାଇଥିଲା। ୱାଶିଂଟନ ସୁନ୍ଦର ୪ଟି ଏବଂ ମହମ୍ମଦ ସିରାଜ୍ ଓ ଯଶପ୍ରୀତ ବୁମ୍‌ରା ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ।

  • Garvita Odia

    Related Posts

    ଆନ୍ତର୍ଜାତିକ କ୍ରିକେଟ୍‌ରୁ ରସେଲ୍‌ଙ୍କ ଅବସର

    କିଙ୍ଗ୍‌ଷ୍ଟନ: ୱେଷ୍ଟଇଣ୍ଡିଜ୍‌ କ୍ରିକେଟ୍‌ ଦଳର ଖ୍ୟାତନାମା ଅଲ୍‌ରାଉଣ୍ଡର ଆନ୍ଦ୍ରେ ରସେଲ୍‌ ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ତାଙ୍କ ଦେଶ ଜାମାଇକାରେ ଅଷ୍ଟ୍ରେଲିଆ ବିପକ୍ଷରେ ଦୁଇଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିବା ପରେ ରସେଲ ଆଉ ଆନ୍ତର୍ଜାତିକ କ୍ରିକେଟ୍‌ ଖେଳିବେ ନାହିଁ। ରବିବାରଠାରୁ…

    ଲର୍ଡସ ଟେଷ୍ଟ :ଇଂଲଣ୍ଡ ୩୮୭ରନରେ ଅଲ୍‌ଆଉଟ୍‌:ଭାରତ ୩ ୱିକେଟରେ ୧୪୫

    ଲଡର୍ସ : ତେନ୍ଦୁଲକର-ଆଣ୍ଡରସନ ଟ୍ରଫି ଟେଷ୍ଟ ଶୃଙ୍ଖଳାର ଲଡର୍ସରେ ଚାଲିଥିବା ତୃତୀୟ ଟେଷ୍ଟର ଶୁକ୍ରବାର ଦ୍ବିତୀୟ ଦିନରେ ୯ଟି ୱିକେଟର ପତନ ଘଟିଛି। ଜୋ ରୁଟ୍‌ଙ୍କ ଶତକ ୧୦୪ରନ ସହାୟତାରେ ଇଂଲଣ୍ଡ ପ୍ରଥମ ଇନିଂସରେ ୩୮୭ରନରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଜବାବରେ ଭାରତ…

    Leave a Reply

    Your email address will not be published. Required fields are marked *

    You Missed

    ମୁଖ୍ୟମନ୍ତ୍ରୀ ଘୋଷଣା କଲେ ‘ଶକ୍ତିଶ୍ରୀ କାର୍ଯ୍ୟକ୍ରମ

    ମୁଖ୍ୟମନ୍ତ୍ରୀ ଘୋଷଣା କଲେ ‘ଶକ୍ତିଶ୍ରୀ କାର୍ଯ୍ୟକ୍ରମ

    ସୋଆରେ ଚତୁର୍ଦ୍ଧଶ ଏମ୍ଏସ୍ ସ୍ୱାମୀନାଥନ ସ୍ମାରକୀ ବକ୍ତୃତାମାଳା

    ସୋଆରେ ଚତୁର୍ଦ୍ଧଶ ଏମ୍ଏସ୍ ସ୍ୱାମୀନାଥନ ସ୍ମାରକୀ ବକ୍ତୃତାମାଳା

    ଦୁଗ୍ଧ ଉତ୍ପାଦନ ବୃଦ୍ଧିରେ ଓମ୍‌ଫେଡ୍ ଡ୍ରାଇଭିଙ୍ଗ ଫୋର୍ସ ସାଜିଛି: ମୁଖ୍ୟମନ୍ତ୍ରୀ

    ଦୁଗ୍ଧ ଉତ୍ପାଦନ ବୃଦ୍ଧିରେ ଓମ୍‌ଫେଡ୍ ଡ୍ରାଇଭିଙ୍ଗ ଫୋର୍ସ ସାଜିଛି: ମୁଖ୍ୟମନ୍ତ୍ରୀ

    ବଳଙ୍ଗା ଘଟଣାରେ କ୍ଷୋଭ ପ୍ରକାଶ କଲେ ନବୀନ

    ବଳଙ୍ଗା ଘଟଣାରେ  କ୍ଷୋଭ ପ୍ରକାଶ କଲେ ନବୀନ

    ବଳଙ୍ଗା ଘଟଣାରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ: ଧର୍ମେନ୍ଦ୍ର

    ବଳଙ୍ଗା ଘଟଣାରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ: ଧର୍ମେନ୍ଦ୍ର

    ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରକୁ ଟମାଟୋ ମାଡ଼

    ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରକୁ ଟମାଟୋ ମାଡ଼