
କଟକ: କଟକ ଶୈଳବାଳା ମହିଳା ମହାବିଦ୍ୟାଳୟରେ ଅଘଟଣ । ମହିଳା ମହାବିଦ୍ୟାଳୟର ନୂଆ କୋଠା କାମ ଚାଲିଥିବାବେଳେ କୋଠାରୁ ପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟ ହୋଇଛି। ନିର୍ମାଣାଧୀନ କୋଠାର ଛଅ ମହଲାର ଛାତ କାମ ଚାଲୁଥିବା ବେଳେ ତଳକୁ ପଡ଼ି ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଶ୍ରମିକଙ୍କ ନାଁ ସୁଜୟ କୁମାର। ତାଙ୍କ ଘର ବିହାରରେ ହୋଇଥିବା ସୂଚନା ମିଳିଛି। ମୃତ ସୁଜୟଙ୍କ ବୟସ ୨୦ ବର୍ଷ।
ସୂଚନା ଅନୁଯାୟୀ, ସୁଜୟ ଛଅ ତାଲା ଉପରୁ ଲୁହା ରଡ ବାନ୍ଧୁଥିବା ସମୟରେ ତଳକୁ ପଡ଼ିଯାଇଥିଲେ। ପରେ ଗୁରୁତର ଅବସ୍ଥାରେ କଟକ ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଶରୀରକୁ କଟକ ଏସସିବି ମେଡିକାଲକୁ ଶବ ବ୍ୟବଛେଦ ପାଇଁ ପଠାଇଛି କ୍ୟାଣ୍ଟନମେଣ୍ଟ ଥାନା ପୋଲିସ୍।
ତେବେ ନିର୍ମାଣ କାର୍ୟ୍ୟ ଚାଲିଥିବା ବେଳେ ଶ୍ରମିକଙ୍କ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ନାଁ ନାହିଁ, ସେ ସମ୍ପର୍କରେ ପୋଲିସ ଅନୁଧ୍ୟାନ କରୁଛି। ଘଟଣା ସମ୍ପର୍କରେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ କିମ୍ବା ଠିକା ସଂସ୍ଥା ତରଫରୁ କୈାଣସି ପ୍ରତିକ୍ରିୟା ମିଳିପାରିନାହିଁ।