
ଭୁବନେଶ୍ୱର: ଆଜି ପବିତ୍ର ଅକ୍ଷୟ ତୃତୀୟା । ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟାକୁ ଅକ୍ଷୟ ତୃତୀୟା ବୋଲି କୁହାଯାଏ । ଏହି ଦିନ ଚାଷୀ ଅଖିମୁଠି ଅନୁକୂଳ କରିଥା’ନ୍ତି । ତେଣୁ ଏହାକୁ କୃଷିଭିତ୍ତିକ ପର୍ବ ବା କୃଷକଙ୍କ ପର୍ବ ବୋଲି କୁହାଯାଏ । ଚାଷୀ ଆଜି ନିଜ ବିଲରେ ଅଖିମୁଠି ବିହନ ବୁଣି ମା’ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରିବା ସହ ପ୍ରାର୍ଥନା କରିଥା’ନ୍ତି । ଏହାବ୍ୟତୀତ ମହାପ୍ରଭୁଙ୍କ ଚନ୍ଦନ ଓ ଚାପ ଯାତ୍ରା ଏହି ଦିନରୁ ହିଁ ଆରମ୍ଭ ହୁଏ । ଏହାସହିତ ଆଜି ମହାପ୍ରଭୁଙ୍କ ରଥ କାଠ ମଧ୍ୟ ଅନୁକୂଳ ହୁଏ ।
୨୧ଦିନ ଧରି ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ ମହାପ୍ରଭୁ । ଚନ୍ଦନଯାତ୍ରା ଉପଲକ୍ଷେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ରାମ-କୃଷ୍ଣଙ୍କ ସମେତ ପଞ୍ଚ ମହାଦେବ ଜମ୍ବେଶ୍ବର, ଲୋକନାଥ, କପାଳମୋଚନ, ମାର୍କଣ୍ଡେଶ୍ବର ଓ ନୀଳକଣ୍ଠେଶ୍ବର ଶ୍ରୀମନ୍ଦିରରୁ ବାହାରି ବଡ଼ଦାଣ୍ଡ ଦେଇ ନରେନ୍ଦ୍ର ପୁଷ୍କରିଣୀରେ ବିଜେ କରିବେ । ଚନ୍ଦନ ଚକଡ଼ାରେ ଚନ୍ଦନ ନୀତିକାନ୍ତି ପରେ ନନ୍ଦା-ଭଦ୍ରାରେ ବସି ଚାପ ଖେଳିବେ ମହାବାହୁ । ରଥ ନିର୍ମାଣ ଅନୁକୂଳ ପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ୟ୍ୟାଳୟ ସମ୍ମୁଖରେ ଛାମୁଣ୍ଡିଆ ବନ୍ଧା ହୋଇଥାଏ । ତିନି ଧଉରା କାଠ ଶ୍ରୀମନ୍ଦିର କାର୍ୟ୍ୟାଳୟରେ ସମ୍ମୁଖରେ ପୂଜାର୍ଚ୍ଚନା ପାଇଁ ରଖାଯାଇଥାଏ ।
ଦେଉଳ ପୁରୋହିତ, ଶ୍ରୀନଅର ରାଜଗୁରୁ, ବେଦଜ୍ଞ ବ୍ରାହ୍ମଣମାନେ ସ୍ବତନ୍ତ୍ର ଭାବେ ନିର୍ମିତ ଯଜ୍ଞଶାଳାରେ ଯଜ୍ଞ କରନ୍ତି । ବନଜାଗର ଇଷ୍ଟଦେବ ପ୍ରଭୁ ନୃସିଂହଙ୍କୁ ନୃସିଂହଙ୍କ ମନ୍ତ୍ରରେ ପୂଜାପାଠ ସହ ଯଜ୍ଞ ଆହୁତି ଦିଆଯାଏ । ଶ୍ରୀମନ୍ଦିରରୁ ଶ୍ରୀଜିଉଙ୍କ ତିନି ଅଜ୍ଞାମାଳ ବିଜେ ପରେ ଛାମୁଣ୍ଡିଆ ଭିତରେ ରହିଥିବା ତିନି ରଥକାଠରେ ଲାଗି କରାଯାଏ । ପୂର୍ବରୁ ସ୍ୱତନ୍ତ୍ର ବିଧି ଅନୁସାରେ ମା’ ଦକ୍ଷିଣକାଳୀଙ୍କ ମନ୍ତ୍ରରେ ଅଭିମନ୍ତ୍ରିତ ସୁନାର ତିନୋଟି ଛୋଟ କୁରାଢ଼ୀରେ ପ୍ରଥମେ ଦେଉଳ ପୁରୋହିତ ତିନି ଅସନ କାଠକୁ ଚୋଟ ମାରିବା ପରେ ବିଶ୍ୱକର୍ମାମାନେ ରଥକାର୍ୟ୍ୟରେ ନିୟୋଜିତ ହେବେ । ସେହି ଅନୁଯାୟୀ ଶାଢ଼ି ବନ୍ଧା ଓ ଅନ୍ୟାନ୍ୟ ନୀତି ସମ୍ପନ୍ନ ହୁଏ ।
ସାରା ଭାରତବର୍ଷରେ ଭିନ୍ନ ଭିନ୍ନ ନାମ ଏବଂ ଢଙ୍ଗରେ ପାଳିତ ହେଉଥିବା ଏହି ପର୍ବଟି ସୁଖ,ସମୃଦ୍ଧି ଓ ସୌଭାଗ୍ୟ ସହିତ ବହୁଳ ଭାବେ ଜଡ଼ିତ । ଓଡିଶାର ପାରମ୍ପରିକ ପରିବେଶରେ ଏହି ଦିନଟିର ବହୁ ମହାତ୍ମ୍ୟ ରହିଛି । ବିଶେଷ କରି କୃଷି ପ୍ରାଧାନ୍ୟ ରାଜ୍ୟ ହୋଇଥିବାରୁ କୃଷି ଭିତ୍ତିକ କାର୍ୟ୍ୟର ଶୁଭାରମ୍ଭ କରାଯାଇଥାଏ । ମୁଠି ଅନୁକୂଳ ଭାବେ ପରିଚିତ ଏହି ଦିନରେ ଚାଷୀମାନେ ନୂଆ ଧାନ ନେଇ ନିଜ କ୍ଷେତରେ ବୁଣି ହଳ କରିଥା’ନ୍ତି । ଏଥିସହ ଧରିତ୍ରୀ ମାତା ଓ ଭୂମିଜାଙ୍କର ଆର୍ଶୀବାଦ ଭିକ୍ଷା ମଧ୍ୟ କରିଥା’ନ୍ତି ।