
ଭୁବନେଶ୍ବର: ଓଡ଼ିଶାର ଐତିହ୍ୟ ଓ ସଂସ୍କୃତି ବହୁ ପୁରାତନ । ଐର ଖାରବେଳଙ୍କ ସମୟରୁ ଆରମ୍ଭ କରି ପାଇକ ବିଦ୍ରୋହ ପର୍ଯ୍ୟନ୍ତ ଅନେକ କୀର୍ତ୍ତିରାଜି ଆଜି ବି ଲୋକଲୋଚନ ଆଢ଼ୁଆଳରେ ରହିଯାଇଛି । ଏହି ଐତିହ୍ୟ କୀର୍ତ୍ତିରାଜିକୁ ଖୋଜି ବାହାର କରାଯିବ । ସେସବୁର ଡାଟାବେସ୍ ପ୍ରସ୍ତୁତ ହେବ । ଏହା ସହ ସଂରକ୍ଷଣ ଓ ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ୱ ଦିଆଯିବ । ଏହାକୁ ପର୍ଯ୍ୟଟନ ସ୍ଥଳୀ ଭାବେ ପରିଚିତ କରାଇବାର ଆବଶ୍ୟକତା ରହିଛି । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ମତ ପ୍ରକାଶ ପାଇଛି । ନୂଆ ଐତିହ୍ୟ ନୀତି ଆସିବ ବୋଲି ସୂଚନା ମିଳିଛି । ସେହିପରି ୩୦୦୦ରୁ ଉର୍ଦ୍ଧ୍ବ ସ୍ମାରକର ସଂରକ୍ଷଣ ପାଇଁ ଗଠିତ ହେବ ଟାସ୍କଫୋର୍ସ ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, “ଓଡ଼ିଶାର ଐତିହ୍ୟ ବହୁ ପୁରୁଣା । ଐର ଖାରବେଳଙ୍କ ସମୟ, ବୌଦ୍ଧ କୀର୍ତ୍ତିରାଜି, ଖଣ୍ଡଗିରି ଓ ଉଦୟଗିରି ଏବଂ ପାଇକ ବିଦ୍ରୋହ ସମୟର ଅନେକ ଐତିହ୍ୟସ୍ଥଳ ଲୁକାୟିତ ହୋଇ ପଡ଼ିରହିଛି । ଏସବୁକୁ ହିସାବ କଲେ ଓଡ଼ିଶାରେ ଏହାର ସଂଖ୍ୟା ୩ ହଜାରରୁ ଅଧିକ ହେବ । ଏଥିରୁ ୮୨ଟି କୀର୍ତ୍ତିରାଜିକୁ ଭାରତୀୟ ପ୍ରନିତତ୍ତ୍ୱିକ ସଂସ୍ଥା ରକ୍ଷଣାବେକ୍ଷଣ କରୁଥିବାବେଳେ ୨୧୨ଟି ରାଜ୍ୟ ପ୍ରନିତାତ୍ତ୍ୱିକ ସଂସ୍ଥା ହାତରେ ରହିଛି । ତେବେ ବାକି ଥିବା ଐତିହ୍ୟ ସ୍ଥଳର ଉପଯୁକ୍ତ ରକ୍ଷଣାବେକ୍ଷଣ ସହ ପର୍ଯ୍ୟଟନ ଦୃଷ୍ଟିକୋଣରୁ ଏହାର ସୌନ୍ଦର୍ଯ୍ୟକରଣର ଆବଶ୍ୟକତା ରହିଛି । ତେଣୁ ଏହି କାର୍ଯ୍ୟକୁ ଆଗେଇ ନେବା ପାଇଁ ପର୍ଯ୍ୟଟନ, ସଂସ୍କୃତି ଓ ପୂର୍ତ୍ତ ବିଭାଗ ସମନ୍ୱୟରେ ଏକ ଟାସ୍କଫୋର୍ସ ଗଠନର ଆବଶ୍ୟକତା ରହିଛି ।ସେହିଭଳି ଆଇନ ତଥା ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, “ଶ୍ରୀଜଗନ୍ନାଥଙ୍କ ଦେଶ ଭାବେ ପରିଚିତ ଓଡ଼ିଶା ଐତିହ୍ୟ ଓ ସଂସ୍କୃତିର ଗନ୍ତାଘର । ଏହାର ପ୍ରତ୍ୟେକ କୋଣ ଅନୁକୋଣରେ ଐତିହ୍ୟ ଓ ପୁରାତନ କୀର୍ତ୍ତିରାଜି ଭରି ରହିଛି । ଏହିସବୁ କୀର୍ତ୍ତିରାଜିର ସୁରକ୍ଷା ସହିତ ପାରିପାଶ୍ୱର୍କ ବିକାଶ ଓ ଭଲ ସଡ଼କ ଯୋଗାଯୋଗ ବ୍ୟବସ୍ଥା ମଧ୍ୟ ଜରୁରୀ । ଫଳରେ ଲୋକଲୋଚନ ଆଢ଼ୁଆଳରେ ଥିବା ଓଡ଼ିଶାର ଐତିହ୍ୟସ୍ଥଳୀକୁ ବିଶ୍ୱର ସବୁ ସ୍ଥାନରୁ ପର୍ଯ୍ୟଟକ ଆସିବାର ସମ୍ଭାବନା ସୃଷ୍ଟି ହୋଇପାରିବ । ସବୁ ପୁରାତନ ମନ୍ଦିରର ଜିଓ ଟ୍ୟାଗିଂ କରାଯିବା ସହ ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ବିଭିନ୍ନ କ୍ଷେତ୍ରର ଉନ୍ନତିକରଣ ହେବ । ଏଥି ସହିତ ରାଜ୍ୟରେ ଥିବା ତାରା-ତାରିଣୀ ମନ୍ଦିରରୁ ଆରମ୍ଭ କରି ବିରଜା କ୍ଷେତ୍ର ପର୍ଯ୍ୟନ୍ତ ସବୁ ଶକ୍ତିପୀଠକୁ ଯୋଡ଼ି ଏକ କରିଡ଼ର ନିର୍ମାଣ ହେବ ।” ଏଥି ଲାଗି ସବୁ ପୁରାତନ ଐତିହ୍ୟ ସ୍ଥଳୀର ପ୍ରୋଫାଇଲ ପ୍ରସ୍ତୁତି ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, “ପୁରାତନ ଐତିହ୍ୟ ସ୍ଥଳୀର ଗଣନାରେ ଓଡ଼ିଶା ଆଗରେ ରହିଛି । ସେହି ଅନୁସାରେ କୀର୍ତ୍ତିରାଜି ଲୁଟରେ ମଧ୍ୟ ଆମେ ସର୍ବଭାରତୀୟ ସ୍ତରରେ କିଛି ପଛରେ ନାହୁଁ । ଆମର ବହୁ କୀର୍ତ୍ତିରାଜି ବିଦେଶରେ କୋଟି କୋଟି ଟଙ୍କାର ବିକ୍ରି ହୋଇଥିବାର ନଜିର ଅଛି । ତେବେ ଏହାର ସୁରକ୍ଷା ଭାର ଆମ ଉପରେ ରହିଛି । ତେଣୁ ପର୍ଯ୍ୟଟନ ସମ୍ଭାବନାକୁ ବୃଦ୍ଧି କରିବାକୁ ହେଲେ ସବୁ ଐତିହ୍ୟ କୀର୍ତ୍ତିରାଜିର ସୁରକ୍ଷା ଓ ସଂରକ୍ଷଣ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ । ପ୍ରଧାନମନ୍ତ୍ରୀଙ୍କ ୭୫ତମ ଜନ୍ମ ଦିବସକୁ ଦୃଷ୍ଟିରେ ରଖି ପ୍ରାଥମିକ ପର୍ଯ୍ୟାୟରେ ପର୍ଯ୍ୟଟନ ଦୃଷ୍ଟିରୁ ଗୁରୁତ୍ୱ ବହନ କରୁଥିବା ରାଜ୍ୟର ୭୫ଟି ଐତିହ୍ୟ ସ୍ମାରକର ସୁରକ୍ଷା ପାଇଁ ପଦକ୍ଷେପ ନିଆଯିବ ।”ଲୋକସେବା ଆଇନ ବିଭାଗ ସମ୍ମିଳନୀ କକ୍ଷରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ସଂପୃକ୍ତ ବିଭାଗର ଅଧିକାରୀଙ୍କୁ ନେଇ ରାଜ୍ୟରେ ଥିବା ପୁରାତନ ଐତିହ୍ୟ ସ୍ମାରକ ସବୁର ସୁରକ୍ଷା, ସଂରକ୍ଷଣ ଓ ସୌନ୍ଦର୍ଯ୍ୟକରଣ ନେଇ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଓଡ଼ିଆ ଭାଷା, ସହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ଡ. ବିଜୟ କେତନ ଉପାଧ୍ୟାୟ, ପର୍ଯ୍ୟଟନ ବିଭାଗ କମିଶନର ତଥା ଶାସନ ସଚିବ ବଲବନ୍ତ ସିଂ, ସଂସ୍କୃତି ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଦେବ ପ୍ରସାଦ ଦାସ, ଇଆଇସି (ସିଭିଲ୍) ସତ୍ୟବ୍ରତ ବେହେରା, ଓବିସିସିର ପରିଚାଳନା ନିର୍ଦ୍ଦେଶକ ସମୀର ହୋତା, ମୁଖ୍ୟଯନ୍ତ୍ରୀ (ବିଲ୍ଡିଂ-୧) ପ୍ରିୟବ୍ରତ ସାମନ୍ତରାୟ, ପୂର୍ତ୍ତ ବିଭାଗ ଉପଦେଷ୍ଟା ଜେ.କେ. ଦାସ, ଏଏସ୍ଆଇ ସୁପରିଟେଣ୍ଡେଣ୍ଟ ଡି.ବି. ଗଡ଼ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।