
ଭୁବନେଶ୍ବର: ଖରାଦିନେ ରାଜ୍ୟରେ ରହିବ ନାହିଁ ଜଳ ସଂକଟ । ସୁବିଧାରେ ସମସ୍ତଙ୍କ ପାଣି ମିଳିବ । ଜଳ ଯୋଗାଣରେ ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ରାଜ୍ୟରେ ୨୪ ହଜାର ନୂଆ ନଳକୂପ ସ୍ଥାପନ କରାଯାଉଛି । ସେହିପରି ଅନ୍ତୋଦୟ ଗୃହ ଯୋଜନାରେ ୫ ଲକ୍ଷ ଘର ଦିଆଯିବ । ଯେଉଁ ଯୋଗ୍ୟ ହିତାଧିକାରୀ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି, ଖୋଜିଖୋଜି ସମସ୍ତଙ୍କୁ ଘର ପ୍ରଦାନ କରାଯିବ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ।ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ କହିଛନ୍ତି, “ପାଣି ପାଇଁ ଲୋକ ଯେପରି କଷ୍ଟ ନ ପାଆନ୍ତି, ସରକାର ଏ ଦିଗରେ ପଦକ୍ଷେପ ନେଉଛନ୍ତି । ଗ୍ରୀଷ୍ମ ପ୍ରବାହରକୁ ନେଇ ରାଜ୍ୟରେ ଜଳ ଯୋଗାଣରେ କୌଣସି ଅସୁବିଧା ହେବ ନାହିଁ । ପୂର୍ବ ସରକାର ସମୟରେ ଓଡ଼ିଶାରେ ୫ ଲକ୍ଷ ନଳକୂପ ଥିଲା । ଚଳିତ ବର୍ଷ ନୂଆ ସରକାରରେ ୨୪ ହଜାର ନୂଆ ନଳକୂପ ସ୍ଥାପନ କରାଯାଉଛି । ମୁଁ ବିଧାୟକ ଥିବା ସମୟରେ ୫ଟି ନଳକୂପ ପାଇଁ ନେହୁରା ହେଉଥିଲୁ, କିନ୍ତୁ ମିଳୁ ନ ଥିଲା । ବର୍ତ୍ତମାନ ସରକାରରେ ୨୪ ହଜାର ନୂଆ ନଳକୂପ ସ୍ଥାପନ ହେବାକୁ ଯାଉଥିବା ବେଳେ ସେଥି ମଧ୍ୟରୁ ୯ ହଜାର ନଳକୂପ ସ୍ଥାପନ ହୋଇ ସାରିଛି । ବାକି ୧୫ ଦିନ ଭିତରେ ଅନ୍ୟ ସବୁ ନଳକୂପ ସ୍ଥାପନ ହେବ ।’
‘ଏହାକୁ ନେଇ ସାଢେ ୫ ଶହ କୋଟି ଟଙ୍କା ବିଭିନ୍ନ ଜିଲ୍ଲାପାଳଙ୍କ ଆକାଉଣ୍ଟକୁ ପଠାଯାଇଛି । ନଳକୂପ ଖୋଳିବା ପାଇଁ ଜିଲ୍ଲାପାଳଙ୍କୁ ନେଇ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ୱାଟର ସପ୍ଲାଇ ନେଇ ଯେଉଁ ୨୭୨ ମେଗା ପ୍ରକଳ୍ପ ଚାଲିଛି । ଯେଉଁ ଜାଗାରେ ପାଣି ମିଳୁ ନ ଥିବ ସେଠାରେ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯିବ । ସୋସିଆଲ ମିଡ଼ିଆ ଏବଂ ଗଣମାଧ୍ୟମରେ ଖବର ପ୍ରକାଶିତ ପରେ ବିଭାଗ ପକ୍ଷରୁ ମନିଟରିଙ୍ଗ କରାଯାଉଛି । ସେହି ଆଧାରରେ ମଧ୍ୟ ପଦକ୍ଷେପ ନିଆଯାଉଛି ।”