
ଭୁବେନଶ୍ବର : ରାଜ୍ୟରେ ନାରୀ ନିର୍ୟାତନା ଅଣାୟତ୍ତ ହୋଇଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡ଼ପଡ଼ା ଗ୍ରାମପଞ୍ଚାୟତର କାଠିଆପଡ଼ା ଗ୍ରାମରେ ଆଉ ଏକ ଅଭାବନୀୟ ଘଟଣା ଘଟିଛି। ପୁରୁଷ ବନ୍ଧୁଙ୍କ ଅମାନବୀୟ ନିର୍ୟାତନା ବିରୋଧରେ ଅଭିଯୋଗ ସତ୍ତ୍ୱେ ପୋଲିସ କାର୍ୟ୍ୟାନୁଷ୍ଠାନ ନ କରିବାରୁ ଜଣେ + ୩ ଶେଷ ବର୍ଷ ଛାତ୍ରୀ ଚରମ ନିଷ୍ପତି ନେଇ ଆତ୍ମାହୁତି ଦେବା ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଛି। ଏଥି ନିମନ୍ତେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ଏକ ୮ ଜଣିଆ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରାଯାଇଛି। ଉକ୍ତ କମିଟିରେ ପିସିସି ଉପସଭାପତି ସସ୍ମିତା ବେହେରା ଅଧ୍ୟକ୍ଷା ରହିଥିବା ବେଳେ ପିସିସି ସମ୍ପାଦିକା ଡ. ଦେବସ୍ମିତା ଶର୍ମା, ସସ୍ମିତା ପଣ୍ଡା, ପିସିସି ମୁଖପାତ୍ର ସୋନାଲି ସାହୁ, ଡ଼ ମନିଷା ଦାଶ ପଟ୍ଟନାୟକ, ଜୟଶ୍ରୀ ପାତ୍ର, ପିସିସି ପାନେଲିଷ୍ଟ ଅମ୍ରିତା ଦାସ ଓ ମଧୁସ୍ମିତା ଆଚାର୍ୟ୍ୟ ସଦସ୍ୟା ଭାବରେ ରହିଛନ୍ତି। ସେମାନେ ଗୁରୁବାର ସକାଳେ ଘଟଣାସ୍ଥଳ ପରିଦର୍ଶନ କରି ଏକ ରିପୋର୍ଟ ପ୍ରସ୍ତୁତ କରିବେ ବୋଲି ପିସିସି କାର୍ୟାଳୟ ସୂତ୍ରରୁ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ ପାଇଛି।