
ଭୁବନେଶ୍ୱର: ମମତା ମହାନ୍ତ ଏବଂ ସୁଜିତ କୁମାରଙ୍କ ପରେ ବିଜେପିରେ ସାମିଲ ହେବାକୁ କିଏ ଅଛନ୍ତି ରେସରେ ? ରାଜ୍ୟରେ ଦଳବଦଳ ରାଜନୀତି ଜୋର ଧରିଥିବାବେଳେ ମମତା ମହାନ୍ତଙ୍କ ପରେ ସୁଜିତ କୁମାର ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ଏକମାତ୍ର ପ୍ରାର୍ଥୀ ଭାବେ ସୁଜିତ କୁମାର ନାମାଙ୍କନ ଭରିଥିବାବେଳେ ସେ ରାଜ୍ୟସଭାକୁ ଯିବା ଏକ ପ୍ରକାର ସ୍ପଷ୍ଟ ହୋଇଛି । ଏହା ମଧ୍ୟରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ସରୋଜ ପାଢୀ ।
ସରୋଜ ପାଢୀ କହିଛନ୍ତି, ” ଆଗକୁ ଦେଖ କ’ଣ ହେଉଛି । ମୁଁ ଆଗରୁ କହିଥିଲି ମମତାଙ୍କ ପରେ ବହୁତ ଜଲଦି ଆଉ ଜଣେ ଆସିବେ, ସୁଜିତ କୁମାର ଆସିଲେ। ତାପରେ ବହୁତ ଆସିବେ ବିଜେପିରେ ସାମିଲ ହେବେ । ସେମିତି କହିବାକୁ ଗଲେ ବିଜେଡିର ବିଧାୟକମାନେ ଜାଣି ସାରିଲେଣି ଆଉ ବିଜେଡିର କିଛି ନାହିଁ । ଆମ ନେତାମାନେ ବିଜେପିକୁ ପଳେଇ ଗଲେଣି । ସେମାନେ ଜାଣିଛନ୍ତି ବିଜେପି ଏକ ସୁରକ୍ଷିତ ଦଳ । ଯେଉଁଥିରେ ଗଲେ ସେମାନେ ସୁରକ୍ଷିତ ରହିବେ । ସେଥିପାଇଁ ସେମାନେ ଚାହୁଁଛନ୍ତି ବିଜେପିକୁ ଆସିବା ପାଇଁ । ରାଜ୍ୟରେ ଆଉ ବିଜେଡି ରହିବ ନାହିଁ । ତାଙ୍କ ଦଳ ନିଶ୍ଚିତ ନୁହେଁ ବୋଲି ତାଙ୍କ ଦଳର ଅମର ଶତପଥୀ କହିଥିଲେ । ତାଙ୍କ ଦଳରେ ଆଉ କେହି ନିଶ୍ଚିତ ନୁହନ୍ତି । ସେଥିପାଇଁ ବହୁ ନେତା ଦଳ ଛାଡୁଛନ୍ତି ।”