
ନୂଆଦିଲ୍ଲୀ: ପୁଣି ରାସ୍ତାକୁ ଓହ୍ଲାଇଲେ କୃଷକ। ଦେଲେ ଦିଲ୍ଲୀ ଚଲୋ ଡାକରା। ହଜାର ହଜାର ସଂଖ୍ୟାରେ କୃଷକ ନିଜ ଦାବି ନେଇ ଆଜି ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ନଭେମ୍ବର ୨୭ରେ, କୃଷକମାନେ ଗ୍ରେଟର ନୋଏଡା ପ୍ରାଧିକରଣରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ପରେ ନଭେମ୍ବର ୨୮ରୁ ଡିସେମ୍ବର ୧ପର୍ୟ୍ୟନ୍ତ ସେମାନେ ଯମୁନା ପ୍ରାଧିକରଣରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ଆଜି ତୃତୀୟ ତଥା ଶେଷ ପର୍ୟ୍ୟାୟ। ସଂସଦ ଅଧିବେଶନ ଚାଲିଥିବା ବେଳେ ଆଜି କୃଷକମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ବିରୋଧୀ କୃଷକମାନେ ପ୍ରଥମେ ମଧ୍ୟାହ୍ନ ୧୨ଟାରୁ ମହାମାୟା ଫ୍ଲାଏଓଭର ନିକଟରେ ଏକାଠି ହେବେ ଏହାପରେ ଟ୍ରାକ୍ଟରରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ଚାଷୀଙ୍କୁ ଅଟକାଇବା ପାଇଁ ଦିଲ୍ଲୀ ସୀମାରେ ପୁଲିସ କଡା ସୁରକ୍ଷା ବ୍ୟବସ୍ଥା କରିଛି। ବ୍ୟାପକ ବ୍ୟାରିକେଡ୍ ଲଗାଯାଇଛି। ଦିଲ୍ଲୀ ପୁଲିସ ଏବଂ ଗୌତମ ବୁଦ୍ଧ ନାଗର ପୁଲିସ ଯାଞ୍ଚ କରୁଛନ୍ତି। ଚାଷୀଙ୍କୁ ଦିଲ୍ଲୀରେ ପ୍ରବେଶ କରିବା ପାଇଁ ଅଟକାଯାଇଛି। ଏଥିପାଇଁ ଦିଲ୍ଲୀରୁ ନୋଏଡା ଯିବା ଆସିବା କରୁଥିବା ଯାତ୍ରୀଙ୍କ ପାଇଁ ଅନେକ ରୁଟ୍ ଡାଇଭର୍ଟ କରାଯାଇଛି।