
ଭୁବନେଶ୍ବର: ବାଲେଶ୍ବର ଫକୀର ମୋହନ ସ୍ବଂୟଶାସିତ ମହାବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ଘଟଣାରେ ଆଜି ବାଲେଶ୍ବର ବନ୍ଦ । ଛାତ୍ରୀଙ୍କୁ ନ୍ୟାୟ ଦାବିରେ ସକାଳ ୬ଟାରୁ ଦିନ ୨ଟା ପର୍ୟ୍ୟନ୍ତ ବନ୍ଦ ଡାକରା ଦେଇଛି ବିଜୁ ଜନତା ଦଳ । ସେହିପରି ଆସନ୍ତାକାଲି(ଜୁଲାଇ ୧୭) ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ସେପଟେ ବଦଳିଲା ଦଫା ।ଫକୀର ମୋହନ କଲେଜର ବିଏଡ ଛାତ୍ରୀ ଆତ୍ମାହୁତି ଘଟଣାରେ ଜିଲ୍ଲା ବିଜେଡି ପକ୍ଷରୁ ଆଜି ଆଠ ଘଣ୍ଟିଆ ବାଲେଶ୍ୱର ଜିଲ୍ଲା ବନ୍ଦ ପାଳନ କରାଯାଉଛି । ସକାଳ ୬ରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରାଯିବା ସହ ଚକ ଅଖ ବନ୍ଦ କରାଯାଇଛି । ଶିକ୍ଷାନୁଷ୍ଠାନ ପାଖରୁ ଆରମ୍ଭ କରି ବ୍ୟବସାୟିକ ଅନୁଷ୍ଠାନ ସବୁକିଛି ବନ୍ଦ କରାଯାଇଛି । କଲେଜ ଅଧ୍ୟକ୍ଷଙ୍କ କାର୍ୟ୍ୟରେ ଅବହେଳା ଏବଂ ସରକାରୀ ସ୍ତରରେ ଛାତ୍ରୀଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଥିବା ଅଭିଯୋଗ କରିଛି ବିଜେଡି । ଛାତ୍ରୀଙ୍କ ଏପରି ମୃତ୍ୟୁ ବ୍ୟର୍ଥ ନ ଯାଇ ଉପଯୁକ୍ତ ତଦନ୍ତ କରାଯାଇ ସମସ୍ତ ଦୋଷୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବାପାଇଁ ଦାବି କରିଛି ବିଜେଡି । ଛାତ୍ରୀଙ୍କୁ ନ୍ୟାୟ ଦାବିରେ ରାଜରାସ୍ତାରେ ଗର୍ଜିଛନ୍ତି । ପ୍ଲାକାର୍ଡ ଧରି ନାରା ଲଗାଇଛନ୍ତି ବିଜେଡି କର୍ମୀ । ଛାତ୍ରୀଙ୍କୁ ନ୍ୟାୟ ଦାବିରେ ବନ୍ଦ ପାଳନ କରୁଛି ଦଳ । ସେହିପରି ଦଳ ପକ୍ଷରୁ ଲୋକସେବା ଭବନ ମଧ୍ୟ ଘେରାଉ କରାଯିବ । ରାସ୍ତାରେ ଟାୟାର ଜାଳି ପ୍ରତିବାଦ କରିଛି ବିଜେଡି । ଏହି ବନ୍ଦ ପାଳନ ଦିନ ୨ ପର୍ୟ୍ୟନ୍ତ ରହିଛି । ସରକାର ଦାବି ନଶୁଣିଲେ ଆଗକୁ ରାଜ୍ୟବ୍ୟାପି ପ୍ରତିବାଦ କରିବାକୁ ଦଳ ଚେତାବନୀ ଦେଇଛି ।ସେହିପରି ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ଯେଉଁଥିରେ ୮ଟି ପ୍ରମୁଖ ଦଳ ସମର୍ଥନ କରିଛନ୍ତି । ସେମାନେ ହେଲେ ସିପିଆଇ, ସିପିଆଇ(ଏମ), ସିପିଆଇ(ଏମଏଲ)ଲିବରେସନ, ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ, ଏନସିପି, ସମାଜବାଦୀ ପାର୍ଟି, ଆରଜେଡି । ଛାତ୍ରୀଙ୍କୁ ନ୍ୟାୟ ଦାବିରେ ଏହି ବନ୍ଦ ଡାକରା ଦେଇଛି ଦଳ ।