
ଭାରତ ଇତିହାସରେ ଅନ୍ୟତମ ଭୟଙ୍କର ତଥା ବଡ଼ ବିମାନ ଦୁର୍ଘଟଣା। ଗୁଜରାଟର ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ହୋଇଛି କ୍ରାଶ। ଉଡ଼ାଣ ଭରିବାର ମାତ୍ର କିଛି ସେକେଣ୍ଡ ପରେ ବିମାନଟି ସର୍ଦାର ବଲ୍ଲଭ ଭାଇ ପଟେଲ ଅନ୍ତର୍ଜାତୀୟ ଏୟାରପୋର୍ଟ ନିକଟ ମେଘାନି ନଗରର ଆବାସିକ ଅଞ୍ଚଳରେ ଦୁର୍ଘଟଣା ଗ୍ରସ୍ତ ହୋଇଛି।
କ୍ରାଶ ହେବା ପରେ ଭୟଙ୍କର ବିସ୍ଫୋରଣ ସହ ବିମାନରେ ନିଆଁ ଲାଗି ଯାଇଥିଲା। ଏଥିଯୋଗୁ ବିମାନରେ ଥିବା ସମସ୍ତ ୨୪୨ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ବିମାନରେ ୨୩୦ ଜଣ ଯାତ୍ରୀ, ୨ ଜଣ ପାଇଲଟ ଓ ୧୦ ଜଣ କ୍ରୁ ସଦସ୍ୟ ରହିଥିଲେ।ଡିଜିସିଏ ପକ୍ଷରୁ କୁହାଯାଇଛି ଯେ ଏୟାର ଇଣ୍ଡିଆର ବିମାନ ଏଆଇ-୧୭୧ ଅହମଦାବାଦରୁ ଲଣ୍ଡନ ଅଭିମୁଖେ ଉଡ଼ାଣ ଭରିବାର ମାତ୍ର କିଛି ସେକେଣ୍ଡ ମଧ୍ୟରେ କ୍ରାଶ କରି ଯାଇଛି। ଏହା ଆଜି ସକାଳେ ଦିଲ୍ଲୀରୁ ଅହମଦାବାଦ ଆସିଥିଲା।
ବୋଇଂ ୭୮୭ ଏୟାରକ୍ରାଫ୍ଟ ଟେଲ ନମ୍ବର ଭିଟି ଏଏନବି ୨୮ ନମ୍ବର ରନ ୱେରୁ ମଧ୍ୟାହ୍ନ ୧.୩୯ ମିନିଟରେ ଉଡ଼ାଣ ଭରିଥିଲା। ଉଡ଼ାଣ ଭରିବା କ୍ଷଣି ପାଇଲଟ ତୁରନ୍ତ ମେ’ ଡେ କଲ୍ ବା ଜରୁରିକାଳୀନ କଲ ଜରିଆରେ ଏୟାର ଟ୍ରାଫିକ କଣ୍ଟ୍ରୋଲ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ବିମାନକୁ ବଡ଼ ବିପଦ ଥିବା ସେ ଅନୁଭବ କରି ସହାୟତା ମାଗିଥିଲେ।