
ଭୁବନେଶ୍ଵର : ଜିଲ୍ଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକଙ୍କର ଯୋଜନା କାର୍ଯ୍ୟାନ୍ୱୟନ ଓ ରୂପାୟନ ସମ୍ପର୍କରେ ଏକ ସମୀକ୍ଷା ବୈଠକ ସ୍ଥାନୀୟ ଓ-ହବ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ତଥା ମତ୍ସ୍ୟ ଏବଂ ପ୍ରାଣିସମ୍ପଦ ମନ୍ତ୍ରୀଗୋକୁଳାନନ୍ଦ ମଲ୍ଲିକ ସବିଶେଷ ସମୀକ୍ଷା କରିଥିଲେ । ଏହି ଅବସରରେ ଉଦ୍ୟମିତା କ୍ଷେତ୍ରରେ ଅଧିକରୁ ଅଧିକ ମହିଳାଙ୍କୁ ସାମିଲ କରିବା ପାଇଁ ବିଶେଷ ପ୍ରଚେଷ୍ଟା କରିବା ପାଇଁ ଅଧିକାରୀଙ୍କୁ କହିଥିଲେ । ମହିଳା ନେତୃତ୍ୱାଧୀନ MSME କ୍ଷେତ୍ରରେ ସମଗ୍ର ଦେଶରେ ଓଡ଼ିଶା ୧୩ତମ ସ୍ଥାନରେ ଥିବା ବେଳେ ଆଗାମୀ ଦିନରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ମାନ୍ୟବର ମନ୍ତ୍ରୀ ଆହ୍ଵାନ ଦେଇଥିଲେ । ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ବିଭାଗ ଦ୍ୱାରା ପରିଚାଳିତ ବିଭିନ୍ନ ଯୋଜନା ଓ ବିଭାଗ ଅନ୍ତର୍ଗତ ସମସ୍ତ ଅନୁଷ୍ଠାନଗୁଡିକର କାର୍ଯ୍ୟକୁ ସମୀକ୍ଷା କରି ଲୋକଙ୍କ ପାଇଁ ନୀତିନିଷ୍ଠ କର୍ତ୍ତବ୍ୟ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଭାରତ ସରକାରଙ୍କର ବିଭିନ୍ନ ଲୋକଭିମୁଖୀ କାର୍ଯ୍ୟକ୍ରମ, ପି.ଏମ୍.ଇ.ଜି.ପି, ପି.ଏମ୍.ଏଫ୍.ଏମ୍.ଇ , ପିଏମ୍-ବିଶ୍ଵକର୍ମା ଏବଂ ଓଡିଶା ସରକାରଙ୍କର ସି.ଏମ୍-ଶ୍ରିମ୍, ବିଭିନ୍ନ ନୀତି ଅଧୀନରେ ଦିଆ ଯାଉଥିବା ଆର୍ଥିକ ଏବଂ ଅଣ ଆର୍ଥିକ ପ୍ରୋତ୍ସାହନଗୁଡିକର ସମୀକ୍ଷା କରିଥିଲେ । ଜିଲ୍ଲାସ୍ତରର କାର୍ଯ୍ୟକାରିତା ସମୟରେ ଉପୁଜୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ପରିଚାଳକମାନେ ଉପସ୍ଥାପନ କରିଥିଲେ ।ଏହି ସମୀକ୍ଷା ବୈଠକରେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ବିଭାଗର କମିଶନର ତଥା ଶାସନ ସଚିବ ଡି. ପ୍ରଶାନ୍ତ କୁମାର ରେଡ୍ଡୀ, ରପ୍ତାନି ପ୍ରୋତ୍ସାହନ ଓ ବିପଣନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ର, ସ୍ଵତନ୍ତ୍ର ଶାସନ ସଚିବ ମହେଶ କୁମାର ଚୌଧୁରୀ, ଅତିରିକ୍ତ ଶିଳ୍ପ ନିର୍ଦ୍ଦେଶକ ପ୍ରଭୁ ପ୍ରସାଦ ଚୌଧୁରୀ, ଜିଲ୍ଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକ ସମୁଚିତା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।