
ମାଲକାନଗିରି : ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାରେ ମାଓବାଦୀ ପୁଣିଥରେ ଉପଦ୍ରବ ଆରମ୍ଭ କରିଛନ୍ତି। ଜଣେ ଆତ୍ମସମର୍ପଣକାରୀ ନକ୍ସଲ ନେତାଙ୍କ ପରିବାରର ୨ଜଣଙ୍କ ସମେତ ୩ଜଣଙ୍କୁ ହତ୍ୟା କରିଛନ୍ତି। ଏହାସହ ମାଡ଼ମାରି ୭ଜଣଙ୍କୁ ଆହତ କରିଥିବାବେଳେ ୧୨ଜଣଙ୍କୁ ବିଭିନ୍ନ ସ୍ଥାନରୁ ଅପହରଣ କରି ନେଇଛନ୍ତି। ସୂଚନା ଅନୁଯାୟୀ, ବିଜାପୁରର ପେଡ୍ଡାକୋର୍ମା ଗାଁରେ ନକ୍ସଲମାନେ ଜଣେ ଛାତ୍ର ସମେତ ୩ ଜଣଙ୍କୁ ହତ୍ୟା କରିଛନ୍ତି। ମୃତକଙ୍କ ନାମ ଝିଙ୍ଗୁ ମୋଡିୟମ୍, ସୋମା ମୋଡିୟମ୍ ଏବଂ ଅନିଲ ମାଡଭି ବୋଲି ଜଣାପଡ଼ିଛି। ପ୍ରାଣ ହରାଇଥିବା ଦୁଇ ଗ୍ରାମବାସୀ ଆତ୍ମସମର୍ପଣ କରିଥିବା ନକ୍ସଲ ନେତା ଦିନେଶ ମୋଡିୟମଙ୍କ ସମ୍ପର୍କୀୟ ବୋଲି କୁହାଯାଉଛି। ନକ୍ସଲ ନେତା ଭେଲା ଏବଂ ତାଙ୍କ ଦଳ ମଙ୍ଗଳବାର ସନ୍ଧ୍ୟାରେ ଏହି ଘଟଣା ଘଟାଇଥିବା ପୁଲିସରୁ ସୂଚନା ମିଳିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।