ସ୍କୁଲ ସହ ଯୋଡ଼ିହେବ ଅଙ୍ଗନବାଡ଼ି କେନ୍ଦ୍ର, ଗାଇଡଲାଇନର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ,03/09:ନୂଆଦିଲ୍ଲୀର ବିଜ୍ଞାନ ଭବନରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀଙ୍କ କରକମଳରେ ଗୋଟିଏ ସ୍ଥାନରେ ପ୍ରାଥମିକ ବିଦ୍ୟାଳୟ ସହିତ ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକର ସ୍ଥାପନା ପାଇଁ ଗାଇଡଲାଇନର ଶୁଭାରମ୍ଭ ହୋଇଯାଇଛି । ନୂଆ ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ଅଙ୍ଗନବାଡ଼ି ଓ ସ୍କୁଲକୁ ଗୋଟିଏ କ୍ୟାମ୍ପସରେ ପ୍ରତିଷ୍ଠା କରିବା ସହ ସମନ୍ୱିତ ମଡେଲ ମାଧ୍ୟମରେ ପ୍ରାରମ୍ଭିକ ଶୈଶବ ଯତ୍ନ ଏବଂ ଶିକ୍ଷାର ମହତ୍ୱ ଉପରେ ଗାଇଡଲାଇନରେ ଜୋର୍ ଦିଆଯାଇଛି ।ଶିକ୍ଷା ମନ୍ତ୍ରଣାଳୟ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ମିଳିତ ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏପରି ଅଭିନବ ପଦକ୍ଷେପ ପାଇଁ ଶିକ୍ଷା ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟକୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବିକଶିତ ଭାରତ’ର ମାନବ ପୁଞ୍ଜି ପାଇଁ ଏକ ଦୃଢ଼ ମୂଳଦୁଆ ସ୍ଥାପନ କରିବାର ଦୃଷ୍ଟିକୋଣକୁ ସାକାର କରିବା ଦିଗରେ ଏକ ସଫଳ ପଦକ୍ଷେପ ହେବ । ବିକଶିତ ଭାରତର ଲକ୍ଷ୍ୟ ସେତେବେଳେ ପୂରଣ ହେବ ଯେତେବେଳେ ଆମେ ଆଗାମୀ ଦିନରେ ଶତ-ପ୍ରତିଶତ ଗର୍ଭବତୀ ମହିଳା, ନବଜାତ ଶିଶୁ ଏବଂ ସ୍କୁଲ ଯିବାକୁ ଥିବା ଶିଶୁମାନଙ୍କର ଯତ୍ନ ନେବା ।

ଏହି ଅବସରରେ ଶ୍ରୀ ପ୍ରଧାନ + ୨ ପର୍ଯ୍ୟନ୍ତ ପାଠ ପଢିନଥିବା ଏବଂ ଆଗକୁ ପାଠ ପଢିବା ପାଇଁ ଇଚ୍ଛା ରଖୁଥିବା ଅଙ୍ଗନବାଡ଼ି ଦିଦିଙ୍କ ପାଇଁ ମଡ୍ୟୁଲ ପ୍ରସ୍ତୁତ କରିବାକୁ ମହିଳା, ଶିଶୁ ବିକାଶ ଓ ଶିକ୍ଷା ମନ୍ତ୍ରଣାଳୟକୁ ଏକ ପ୍ରସ୍ତାବ ଦେଇଛନ୍ତି । ସେ କହିଛନ୍ତି ଏଆଇ ସମେତ ଅନ୍ୟ ଜ୍ଞାନକୌଶଳ ମାଧ୍ୟମରେ ବିଶ୍ୱରେ ଜୀବନଶୈଳୀ ସହଜ ହୋଇଛି ।ଏଥିପାଇଁ ଆମକୁ ଏଆଇର ଉପଯୋଗ କରି ପିଲାମାନଙ୍କ ଭବିଷ୍ୟତ ନିର୍ମାଣ କରିବା ଉପରେ ଦୃଷ୍ଟି ଦେବା ଉଚିତ୍ । ଆମର ଅଙ୍ଗନବାଡ଼ି ଦିଦିମାନେ ପିଲାମାନଙ୍କର ପ୍ରଥମ ଗୁରୁ ଏବଂ ଏଆଇ ମାଧ୍ୟମରେ ଭାରତୀୟ ଭାଷାରେ ଶିକ୍ଷାକୁ ଅଧିକ ସରଳ କରାଯାଇପାରିବ । ଆଗାମୀ ୩ ବର୍ଷ ମଧ୍ୟରେ ଭାରତରେ ପ୍ରାୟ ୨ ଲକ୍ଷ ବେସରକାରୀ ଏବଂ ସରକାରୀ ହାଇସ୍କୁଲରେ ବ୍ରଡବ୍ରାଣ୍ଡ୍ ଇଣ୍ଟରନେଟ୍ ସଂଯୋଗ କରାଯିବ । ଆସର୍ ଏବଂ ପରଖ ରିପୋର୍ଟର ସାମ୍ପ୍ରତିକ ତଥ୍ୟନୁସାରେ ଗାଁରେ ପିଲାମାନଙ୍କର ଶିକ୍ଷଣ ଫଳାଫଳରେ ସହର ଅପେକ୍ଷା ଭଲ ହୋଇଛି । ଏହି ଅଭୁତପୂର୍ବ ସଫଳତା ଆମର ଅଙ୍ଗନବାଡି ଦିଦିମାନଙ୍କର କଠିନ ପରିଶ୍ରମର ପ୍ରତିଫଳନ । ବର୍ତ୍ତମାନ ସମୟରେ ଆମର ଦାୟିତ୍ୱ ହେଉଛି, ଦେଶର ପ୍ରାୟ ୧୫ କୋଟି ପିଲାମାନଙ୍କର ଉପଯୁକ୍ତ ଯତ୍ନ ନେଉ, ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥାର ଯତ୍ନ ନେଉ, ତେବେ ଯାଇ ୨୦୪୭ ସୁଦ୍ଧା ବିକଶିତ ଭାରତ ଏବଂ ନିପୁଣ ଭାରତର ସ୍ୱପ୍ନ ସାକାର ହେବ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।
ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଏବଂ ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ଓ ସ୍ୱାକ୍ଷରତା ବିଭାଗର ସହଯୋଗରେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଗୋଟିଏ କ୍ୟାମ୍ପସରେ ପ୍ରତିଷ୍ଠା କରିବା ପାଇଁ ଗାଇଡଲାଇନ ଜାରି କରାଯାଇଛି । ଏହି ପଦକ୍ଷେପ ବିକଶିତ ଭାରତର ମାନବ ସମ୍ବଳ ପାଇଁ ଏକ ସୁଦୃଢ଼ ଭିତ୍ତିଭୂମି ନିର୍ମାଣ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ କଳ୍ପନାକୁ ସାକାର କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଜାତୀୟ ଶିକ୍ଷା ନୀତି ଅଧୀନରେ ଏହି ଗାଇଡଲାଇନ, ଅଙ୍ଗନବାଡ଼ି ଓ ସ୍କୁଲକୁ ଗୋଟିଏ କ୍ୟାମ୍ପସରେ ପ୍ରତିଷ୍ଠା କରିବା ସହ ସମନ୍ୱିତ ମଡେଲ ମାଧ୍ୟମରେ ପ୍ରାରମ୍ଭିକ ଶୈଶବ ଯତ୍ନ ଏବଂ ଶିକ୍ଷାର ମହତ୍ତ୍ୱ ଉପରେ ଯୋର୍ ଦେଉଛି । ସମଗ୍ର ଭାରତବର୍ଷରେ ସ୍କୁଲ ପରିସରରେ ପୂର୍ବରୁ ୨.୯ ଲକ୍ଷରୁ ଅଧିକ ଅଙ୍ଗନୱାଡି କେନ୍ଦ୍ର ରହିଛି । ଏଥିପାଇଁ ଏହି ଗାଇଡଲାଇନ୍ ବା ନିର୍ଦ୍ଦେଶାବଳୀ ପରିଚାଳନା ସମ୍ବନ୍ଧୀୟ ଆବଶ୍ୟକ ସ୍ପଷ୍ଟତା ପ୍ରଦାନ କରିବ ଏବଂ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ମଡେଲକୁ ପ୍ରଭାବଶାଳୀ ଢଙ୍ଗରେ ଆଗକୁ ବଢାଇବା ଦିଗରେ ସମର୍ଥ କରିବ । ଏହି କାର୍ଯ୍ୟକ୍ରମରେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ, ଶିକ୍ଷା ଏବଂ ସାକ୍ଷରତା ବିଭାଗର ବରିଷ୍ଠ ଅଧିକାରୀ, ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶର ଉଭୟ ବିଭାଗର ପ୍ରତିନିଧି ଏବଂ ଅଙ୍ଗନୱାଡି କର୍ମଚାରୀମାନେ ଯୋଗଦେଇଥିଲେ ।

  • Related Posts

    ଓଡ଼ିଶାର ଶିଳ୍ପାୟନ କ୍ଷେତ୍ରରେ ଅଭିବୃଦ୍ଧି ଦିଗରେ ଆଇଏଫ୍‌ଏସ୍‌ ଅଧିକାରୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ : ଶିଳ୍ପ ମନ୍ତ୍ରୀ

    ଭୁବନେଶ୍ୱର, ୦୩/୦୯: ଆଜି ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କୁ ଓଡ଼ିଶା ଗସ୍ତରେ ଆସିଥିବା ଭାରତୀୟ ବୈଦେଶିକ ସେବା ଅଧିକାରୀ ଶ୍ରୀ ମନୋଜ କୁମାର ମହାପାତ୍ର, ଶ୍ରୀ ଅମିତ ନାରଙ୍ଗ ଓ ଗ୍ଲୋରିଆ…

    Continue reading
    ଯାଜପୁରରେ ପୁଣି ବ୍ୟାପିଲା ଡାଇରିଆ ୧୦ ଆକ୍ରାନ୍ତ ୧ମୃତ

    ଯାଜପୁର,03।09:ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକରେ ଡାଇରିଆ ବ୍ୟାପିବାରେ ଲାଗିଛି । ଏଥିରେ ୧୦ ଜଣ ଆକ୍ରାନ୍ତ ହୋଇଥିଲେ । ସମେସ୍ତ ସୁସ୍ଥ ଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ଜଣକ ହେଉଛନ୍ତି ବଡଚଣା ବ୍ଲକ ସାଉଡିଆ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ନବରଙ୍ଗପୁରରେ ସାମ୍ବାଦିକଙ୍କ ଉପରେ ନିଶାସକ୍ତଙ୍କ ଆକ୍ରମଣରେ ଓଡିଶା ଡିଜିପିଙ୍କୁ ନୋଟିସ୍ ଜାରି କଲେ ଜାତୀୟ ମାନବାଧିକାର କମିଶନ ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ତଲବ

    ଆତ୍ମହତ୍ୟା ରୋକିବ ‘ଜୀବନ ଜିନ୍ଦାବାଦ୍’

    ସୁସ୍ଥ ଖାଦ୍ୟାଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ଅଙ୍ଗନବାଡି କେନ୍ଦ୍ରରେ ଚିନି ବୋର୍ଡ ସ୍ଥାପନ

    ରପ୍ତାନୀ ନୀତି ଓ ବିଶ୍ଵ ବଜାର ସଂଯୋଗୀକରଣ ଶୀର୍ଷକ ରାଜ୍ୟ ସଂଲଗ୍ନ ପ୍ରଶିକ୍ଷଣ ଅଧିବେଶନ

    ଓଡ଼ିଶାର ଶିଳ୍ପାୟନ କ୍ଷେତ୍ରରେ ଅଭିବୃଦ୍ଧି ଦିଗରେ ଆଇଏଫ୍‌ଏସ୍‌ ଅଧିକାରୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ : ଶିଳ୍ପ ମନ୍ତ୍ରୀ

    ସ୍କୁଲ ସହ ଯୋଡ଼ିହେବ ଅଙ୍ଗନବାଡ଼ି କେନ୍ଦ୍ର, ଗାଇଡଲାଇନର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ