
ପାଟନା: ପୁଣି ନୃଶଂସତାର ସୀମା ଲଂଘିଲା ମାନବିକତା । ଦୁଇଟି ପିଲାଙ୍କ ଦେହରେ ନିଆଁ ଲଗାଇ ଜୀବନ୍ତ ଜାଳିଦେଲେ । ଘରେ କେହି ନଥିବା ବେଳେ ଦୁର୍ବୃତ୍ତ ଘଟାଇଲେ ଏହି ଲୋମଟାଙ୍କୁରା ଅପରାଧ । ବିହାରର ରାଜଧାନୀ ପାଟନାରୁ ଏପରି ଦଃଖଦ ଖବର ସାମ୍ନାକୁ ଆସିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।ମୃତ ପିଲା ଦୁଇଜଣଙ୍କ ପରିଚୟ ମିଳିଛି ସେମାନେ ହେଲେ ୧୦ ବର୍ଷିୟ ଅଞ୍ଜଲି ଓ ୧୫ ବର୍ଷିୟ ଅଂଶ । ମୃତ ପିଲା ଦୁଇଜଣ ଜାନୀପୁର ଅଞ୍ଚଳର ଶୋଭା ଦେବୀ ଓ ଲଲନ କୁମାର ଗୁପ୍ତାଙ୍କ ସନ୍ତାନ ଥିଲେ । ଶୋଭା ଦେବୀ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା ବା ଏମ୍ସରେ ନର୍ସ ଭାବେ କାର୍ୟ୍ୟ କରନ୍ତି । ସେହିପରି ଲଲନ କୁମାର ଯାଦବ ଇଲେକ୍ସନ କମିଶନରେ କାର୍ୟ୍ୟ କରନ୍ତି ।ଯାନୀପୁର ଥାନା ପୋଲିସ ସହିତ ଘଟଣାସ୍ଥଳରେ ଫୋରେନ୍ସିକ ଦଳ ଏବଂ ଡଗ୍ ସ୍କ୍ୱାର୍ଡ ମଧ୍ୟ ପହଞ୍ଚିଛି । ଏହି ମାମଲାର ଗମ୍ଭୀର ଭାବେ ଯାଞ୍ଚ କରାଯାଉଛି । ମାତ୍ର ଏହି ଘଟଣା ପଛରେ କାହାର ହାତ ରହିଛି ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ ।
ଯାନୀପୁର ଥାନା ପୋଲିସ ସବ୍ ଇନ୍ସପେକ୍ଟର କହିଛନ୍ତି, ଘରୁ ଗୋଟିଏ ଝିଅ ଏବଂ ଗୋଟିଏ ପୁଅର ମୃତଦେହ ଉଦ୍ଧାର କରାଯାଇଛି । ଘଟଣାର ସବୁ ଦିଗକୁ ଯାଞ୍ଚ କରାଯାଉଛି । ମୃତଦେହ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ହସ୍ପିଟାଲ ପଠାଯିବ ।