
ବିହାର : ବିହାରର ଭାଗଲପୁର ଜିଲ୍ଲାରେ ଶ୍ରାବଣ ମେଳା ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ରବିବାର ବିଳମ୍ବିତ ରାତି ପ୍ରାୟ ୧୨ ଟା ୫ ରେ ଏକ ଡିଜେ ଗାଡ଼ି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ଏଥିରେ ପାଞ୍ଚ ଜଣ କାଉଡ଼ିଆ ଭକ୍ତଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇ ଯାଇଛି । ଦୁର୍ଘଟଣାରେ ଦୁଇ ଜଣ ଗୁରୁତରଙ୍କ ଚିକିତ୍ସା ଚାଲିଛି । ଶ୍ରଦ୍ଧାଳୁମାନେ ସୁଲତାନଗଞ୍ଜରୁ ଜ୍ୟେଷ୍ଠଗୌର ନାଥସ୍ଥାନକୁ ଗଙ୍ଗା ଜଳ ନେଇ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଯେଉଁ ଗାଡ଼ିରେ ଡିଜେ ସିଷ୍ଟମ ଲାଗିଥିଲା , ତାହା କାଦୁଅରେ ଫସି ଯାଇଯିବାରୁ ଡ୍ରାଇଭର ଗାଡ଼ି ବାହାର କରିବା ମାତ୍ରେ ଉପରେ ଲାଗିଥିବା ସାଉଣ୍ଡ ସିଷ୍ଟମ ତାର ସଂସ୍ପର୍ଶରେ ଆସିଥିଲା । ଯାହାଦ୍ବାରା ଗାଡ଼ିରେ କରେଣ୍ଟ ଲାଗିବା ସହ ଏହା ରାସ୍ତା କଡ଼ ନାଳକୁ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣା ସମୟରେ ଗାଡ଼ିରେ ୯ ଜଣ ବସିଥିଲେ । ସମସ୍ତେ ଶ୍ରାବଣ ମାସର ଶେଷ ସୋମବାରରେ ଭୋଳାବାବାଙ୍କୁ ଜଳଲାଗି କରିବା ପାଇଁ ଯାଉଥିଲେ । କିନ୍ତୁ ବିଧିର ବିଧାନ ହିଁ କିଛି ଅଲଗା ଥିଲା । କରେଣ୍ଟ୍ ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ହିଁ ୫ ଜଣଙ୍କ ଜୀବନ ଚାଲିଗଲା । ଏହି ଦୁର୍ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ବାତାବରଣ ଖେଳିଯାଇଛି । ପ୍ରଶାସନ ତୁରନ୍ତ ଉଦ୍ଧାର କାର୍ୟ୍ୟ ଆରମ୍ଭ କରିବା ସହ ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।