
ଆରସିବିର ବିଜୟୋତ୍ସବ ପାଳନ ବେଳେ ଦଳାଚକଟାରେ ୧୧ ଜଣଙ୍କ ମୃତ୍ୟୁ ଘଟଣାରେ ଗତକାଲି ବେଙ୍ଗାଲୁରୁ ପୁଲିସ କମିଶନର ଓ ଅନ୍ୟ କେତେକ ପ୍ରମୁଖ ପୁଲିସ ଅଧିକାରୀଙ୍କୁ କର୍ଣ୍ଣାଟକା ସରକାର ନିଲମ୍ବନ କରିଥିବା ବେଳେ ଆଜି ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ରାଜନୀତିକ ସଚିବ କେ ଗୋବିନ୍ଦରାଜଙ୍କୁ ବହିଷ୍କାର କରାଯାଇଛି। କେ ଗୋବିନ୍ଦରାଜ ସେଠାକାର ବିଧାନ ପରିଷଦର ସଦସ୍ୟ ମଧ୍ୟ ଅଛନ୍ତି। ଏହା ସହିତ ରାଜ୍ୟ ଗୁଇନ୍ଦା ବିଭାଗ ମୁଖ୍ୟ ହେମନ୍ତ ନିମ୍ବଲକରଙ୍କୁ ବଦଳି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଦଳଚକଟା ଘଟିବା ପୂର୍ବରୁ ଗତ ବୁଧବାର ସକାଳେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ବାସଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ କେ ଗୋବିନ୍ଦରାଜ ମଧ୍ୟ ଉପସ୍ଥିତ ଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)କୁ ବିଜୟୋତ୍ସବ ପାଳନ କରିବାକୁ ଅନୁମତି ପ୍ରଦାନ କରିବାକୁ ସେ ଅଧିକ ଦାବି କରିଥିଲେ। ବେଙ୍ଗାଲୁରୁ ପୁଲିସ୍ କମିଶନର ମନା କରିବା ସତ୍ତ୍ୱେ ବିଜୟୋତ୍ସବ ପାଇଁ ଆରସିବିକୁ ୩ଟି କାର୍ୟ୍ୟକ୍ରମ କରିବାକୁ ଅନୁମତି ଦେବାକୁ ସେ ଜୋର ଦେଇଥିଲେ। ତେବେ ବିଜୟ ଶୋଭାଯାତ୍ରାକୁ ଆଦୌ ଅନୁମତି ଦେଇ ହେବ ନାହିଁ ବୋଲି ପୁଲିସ କମିଶନର କହିଥିଲେ। ଏହା ପରେ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ ଓ ବିଧାନ ସୌଧରେ କାର୍ୟ୍ୟକ୍ରମ କରିବାକୁ ଅନୁମତି ଦେବାକୁ କେ ଗୋବିନ୍ଦରାଜୁ ପୁଲିସ କମିଶନରଙ୍କୁ ରାଜି କରାଇଥିଲେ।
ଏହି ଦଳାଚକଟା ଘଟଣା ପାଇଁ କର୍ଣ୍ଣାଟକାର କଂଗ୍ରେସ ସରକାର ହରଡ଼ଘଣାରେ ପଡ଼ିଥିବା ବେଳେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର (ଗତକାଲି) ବେଙ୍ଗାଲୁରୁ ପୁଲିସ କମିଶନର ବି ଦୟାନନ୍ଦଙ୍କ ସହିତ ଏସିପି ସି ବାଳକୃଷ୍ଣ, ଡିସିପି (ସେଣ୍ଟ୍ରାଲ ଡିଭିଜନ) ଶେଖର ଏଚ୍ ଟେକ୍କନ୍ନାଭର, ଅତିରିକ୍ତ ସିସି ବିକାଶ କୁମାର ଓ କବ୍ବନ ପାର୍କ ଥାନାର ଇନ୍ସପେକ୍ଟର ଏକେ ଗିରିଶଙ୍କୁ ନିଲମ୍ବନ କରାଯାଇଥିଲା। କର୍ତ୍ତବ୍ୟରେ ବ୍ୟାପକ ଅବହେଳା ଅଭିଯୋଗରେ ଏହି ପୁଲିସ ଅଧିକାରୀମାନଙ୍କୁ ସରକାର ନିଲମ୍ବନ କରିଛନ୍ତି।