
କଟକ : ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଏକ ବିକୃତ ଏବଂ ଆପତ୍ତିଜନକ ଭିଡିଓ ପ୍ରଘଟ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଗିରଫ ଅଭିଯୁକ୍ତ ରାୟଗଡ଼ା ଚାନ୍ଦିଲି ଥାନା ଅନ୍ତର୍ଗତ କେଉଟଗୁଡ଼ା ଷ୍ଟେସନ ସାହିର କିଶୋର କୌଶଲ୍ୟା। କୃତ୍ରିମ ବୁଦ୍ଧିମତା (ଏଆଇ) ଦ୍ବାରା ବିଭିନ୍ନ ଭିଡିଓକୁ ବିକୃତ କରି ସାମାଜିକ ଗଣମାଧ୍ୟମରେ ପ୍ରଘଟ କରିବା ନେଇ ତା ନାମରେ ପୂର୍ବରୁ ମଧ୍ୟ ଏକାଧିକ ଅଭିଯୋଗ ଥିବା ଜଣାପଡ଼ିଛି। ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ଜଣକ ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବା, ସାଧାରଣ ଲୋକଙ୍କ ମଧ୍ୟରେ ତାଙ୍କ ଭାବମୂର୍ତ୍ତିକୁ ନଷ୍ଟ କରିବା ପାଇଁ ଜାଣିଶୁଣି ସାମାଜିକ ଗଣମାଧ୍ୟମରେ ପ୍ରଘଟ କରୁଥିଲା। ଏହି ପୋଷ୍ଟ ଦ୍ବାରା ଜଣେ ମହିଳାଙ୍କ ସମ୍ମାନକୁ ମଧ୍ୟ କ୍ଷୁଣ୍ଣ ହୋଇଥିଲା। ଅଭିଯୋଗ ଆଧାରରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତକୁ ଚିହ୍ନଟ କରି ଗିରଫ କରିବା ସହ ଉକ୍ତ ଆପତ୍ତିଜନକ ଭିଡିଓକୁ ଫେସବୁକ୍ରୁ ହଟାଇଥିଲା। ଅଭିଯୁକ୍ତ ଟିକିରିର ଏକ କନଷ୍ଟ୍ରକ୍ସନ କମ୍ପାନୀରେ କାର୍ୟ୍ୟ କରେ ବୋଲି ପୁଲିସ ଜାଣିବାକୁ ପାଇଥିଲା।