
ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନା ରାଜ୍ୟରେ ବିଧାନସଭା ଆସନ ସଂଖ୍ୟା ବୃଦ୍ଧି ପାଇଁ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଆରମ୍ଭ କରିବା ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେବା ସମ୍ପର୍କିତ ଏକ ଆବେଦନକୁ ଶୁକ୍ରବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ବିଚାରପତି ସୂର୍ୟ୍ୟକାନ୍ତ ଏବଂ ଏନ କୋଟିଶ୍ୱର ସିଂହଙ୍କ ଖଣ୍ଡପୀଠ ଏହି ନିଷ୍ପତ୍ତି ଶୁଣାଇଛନ୍ତି।
ସୁପ୍ରିମକୋର୍ଟରେ ଆଗତ ଆବେଦନରେ ଆନ୍ଧ୍ର ପ୍ରଦେଶ ପୁନର୍ଗଠନ ଆଇନର ଧାରା ୨୬କୁ କାର୍ୟ୍ୟକାରୀ କରିବା ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେବାକୁ ଦାବି କରାଯାଇଥିଲା। ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନାକୁ ବାଦ ଦେଇ କେବଳ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଏବଂ କାଶ୍ମୀରର ବିଧାନସଭା ଓ ସଂସଦୀୟ କ୍ଷେତ୍ରଗୁଡ଼ିକୁ ସୀମା ନିର୍ଦ୍ଧାରଣ କରିବା ଅସାମ୍ବିଧାନିକ ଥିଲା ବୋଲି ଦର୍ଶାଯାଇଥିଲା।