
ଭୁବନେଶ୍ୱର:ଆଇସିସି କମିଟି ନକଲେ କଲେଜ କର୍ତ୍ତୃପକ୍ଷଙ୍କ ଦରମା ବନ୍ଦ ହେବ । ଗୁରୁବାର ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏହାଛଡ଼ା ସେ କହିଛନ୍ତି ଯେ ମାସେ ଭିତରେ ସବୁ କଲେଜରେ ଆଇସିସି କମିଟି କରିବାକୁ ଟାର୍ଗେଟ ରଖାଯାଇଛି । ଯେଉର୍ମାନେ ଭୁଲ ଅଭିଯୋଗ କରୁଛନ୍ତି ସେମାନଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି ।
ଅନ୍ୟପକ୍ଷରେ ଉଚ୍ଚଶିକ୍ଷା ବିଭାଗ ଅଧୀନ ମହାବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି) ତଥ୍ୟ ଗୋଟିଏ ପୋର୍ଟାଲରେ ରହିବ। ଏନେଇ ସମସ୍ତ ମହାବିଦ୍ୟାଳୟକୁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଉଚ୍ଚଶିକ୍ଷା ବିଭାଗ ଅଧୀନ ଆଞ୍ଚଳିକ ଶିକ୍ଷା ନିର୍ଦେଶକ ଏ ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ବିଭାଗର ଯୁଗ୍ମ ସଚିବ ମୌସୁମୀ ନାୟକଙ୍କ ଏନେଇ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଉଲ୍ଲେଖ କରିଛନ୍ତି ଯେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ‘ସି-ବକ୍ସ’ ପୋର୍ଟାଲ ପ୍ରସ୍ତୁତ କରାଯାଇଛି। ଏହି ପୋର୍ଟାଲରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି(ଆଇସିସି)/ଲୋକାଲ କମିଟି, କାର୍ୟ୍ୟସ୍ଥଳୀରେ ମହିଳା ନିର୍ୟାତନା ଅଭିଯୋଗଗୁଡ଼ିକ ଗ୍ରହଣ ସହ ତା’ର ସମାଧାନ ଉପଲବ୍ଧ ରହିବ। ସମସ୍ତ ବିଭାଗସ୍ତରୀୟ/ଅଫିସ୍ସ୍ତରୀୟ ଆଇସିସି ଏହି ପୋର୍ଟାଲରେ ଉପଲବ୍ଧ ହେବ। ବିଭାଗ ଅଧୀନ ସରକାରୀ, ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟଗୁଡ଼ିକ ଆଇସିସିର ସମ୍ପୂର୍ଣ୍ଣ ତଥ୍ୟ ‘ସି-ବକ୍ସ’ ପୋର୍ଟାଲରେ ଅଗଷ୍ଟ ପହିଲା ସୁଦ୍ଧା ଦାଖଲ କରିବେ। ତଥ୍ୟ ଦାଖଲ ସହ ଲଗ୍ଇନ୍ ସମ୍ବନ୍ଧରେ ବିଭାଗ ପକ୍ଷରୁ ମହାବିଦ୍ୟାଳୟକୁ ଅବଗତ କରାଯାଇଛି।