
ନୂଆଦିଲ୍ଲୀ: ମୌସୁମୀ ଅଧିବେଶନର ପ୍ରଥମ ଦିନରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି, ଉପ ରାଷ୍ଟ୍ରପତି ଜଗଦୀପ ଧନଖଡ଼। ଏନେଇ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପତ୍ର ଲେଖି ଜଣାଇଛନ୍ତି। ନିଜ ସ୍ବାସ୍ଥ୍ୟଗତ ସମସ୍ୟାକୁ କାରଣ ଦର୍ଶାଇଛନ୍ତି, ଧନଖଡ଼। ଏଥିସହ ଯଥାଶୀଘ୍ର ତାଙ୍କୁ ଦାୟିତ୍ବ ମୁକ୍ତ କରିବାକୁ ସେ ଅନୁରୋଧ କରିଛନ୍ତି। 2027 ଅଗଷ୍ଟ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ବାକି ଥିଲା। ସେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମନ୍ତ୍ରୀ ପରିଷଦ ଏବଂ ସାଂସଦମାନଙ୍କୁ ସେମାନଙ୍କର ସହଯୋଗ ଏବଂ ସ୍ନେହ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଧନଖଡ଼ କହିଛନ୍ତି ଯେ, ଭାରତର ପ୍ରଗତି ଦେଖିବା ତାଙ୍କ ପାଇଁ ଗର୍ବ ଏବଂ ସମ୍ମାନର ବିଷୟ ହୋଇଛି।ଧନଖର ତାଙ୍କ ଇସ୍ତଫାପତ୍ରରେ ଲେଖିଛନ୍ତି, ‘ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇ ଏବଂ ଡାକ୍ତରଙ୍କ ପରାମର୍ଶ ପାଳନ କରି, ମୁଁ ତୁରନ୍ତ ପ୍ରଭାବରୁ ଭାରତର ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଉଛି। ଏହି ଇସ୍ତଫା ସମ୍ବିଧାନର ଧାରା 67 (A) ଅନୁଯାୟୀ। ମୁଁ ଭାରତର ମାନ୍ୟବର ରାଷ୍ଟ୍ରପତିଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି, ଯିଏ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ମୋତେ ନିରନ୍ତର ସହଯୋଗ ଏବଂ ଏକ ଶାନ୍ତିପୂର୍ଣ୍ଣ କାର୍ଯ୍ୟ ସମ୍ପର୍କ ପ୍ରଦାନ କରିଥିଲେ। ଏହା ମୋ ପାଇଁ ଏକ ଅତ୍ୟନ୍ତ ସୁଖଦ ଅଭିଜ୍ଞତା ଥିଲା।’ଚଳିତ ବର୍ଷ ମାର୍ଚ୍ଚ 9 ତାରିଖରେ ହସ୍ପିଟାଲରେ ଭର୍ତ୍ତି ହେଇଥିଲେ, ଉପରାଷ୍ଟ୍ରପତି ଜଗଦ୍ବୀପ ଧନଖଡ଼। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ସେଦିନ ବିଳମ୍ବିତ ରାତିରେ ତାଙ୍କୁ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ହୃଦରୋଗ ବିଭାଗର ମୁଖ୍ୟ ଡାକ୍ତର ରାଜୀବ ନାରଙ୍ଗଙ୍କ ତତ୍ତ୍ୱାବଧାନରେ କ୍ରିଟିକାଲ୍ କେୟାର ୟୁନିଟ୍ (CCU)ରେ ଭର୍ତ୍ତି କରାଯାଇଥିଲା।ନିଜ କାର୍ଯ୍ୟକାଳ ମଧ୍ୟରେ ଅନେକ ଥର ନିଜ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରହିଆସିଥିଲେ ଉପ ରାଷ୍ଟ୍ରପତି ଜଗଦୀପ ଧନଖଡ଼। ଗତ ଶୀତ ଅଧିବେଶନ ବେଳେ ବିରୋଧୀମାନେ ରାଜ୍ୟସଭାରେ ଗୃହକାର୍ଯ୍ୟରେ ଅଧ୍ୟକ୍ଷ ତଥା ଉପ-ରାଷ୍ଟ୍ରପତି ଧନଖଡ଼ଙ୍କ ବିରୋଧରେ ଶାସକ- ବିରୋଧୀ ପକ୍ଷପାତିତା ଅଭିଯୋଗକୁ ପ୍ରସଙ୍ଗ କରିଥିଲେ। କଂଗ୍ରେସ ଏବଂ ଟିଏମସିର ଦୁଇ ଜଣ ବରିଷ୍ଠ ରାଜ୍ୟସଭା ସାଂସଦ ଅଭିଯୋଗ କରିଥିଲେ ଯେ, ଧନଖଡ଼ ଗୃହକୁ ଶାସକ ଦଳର ସାଧନ ଭାବେ ବ୍ୟବହାର କରୁଛନ୍ତି। ଯାହା ଗଣତନ୍ତ୍ରରେ ଆଦୌ ଗ୍ରହଣୀୟ ନୁହେଁ। ବିରୋଧୀ ସାଂସଦମାନଙ୍କୁ ଗୃହରେ ପ୍ରସଙ୍ଗ ଉଠାଇବାକୁ ଅନୁମତି ଦେଉନାହାନ୍ତି ଅଧ୍ୟକ୍ଷ। ଏପରିକି ସେମାନଙ୍କର ମତାମତକୁ ମଧ୍ୟ ହାଉସ ପ୍ରୋସିଡିଂ ରେକର୍ଡରୁ ବାଦ ଦିଆଯାଉଛି ବୋଲି ତୃଣମୂଳ କଂଗ୍ରେସ ସଦସ୍ୟ ଗମ୍ଭୀର ଅଭିଯୋଗ ଆଣିଥିଲେ।