
ହରିୟାଣା: ହରିୟାଣାର ସିରସାରେ ଜଣେ ୨୪ ବର୍ଷୀୟା ମହିଳା ଏକସଙ୍ଗରେ ୪ଟି ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ସେମାନଙ୍କ ମଧ୍ୟରେ ଦୁଇଜଣ ପୁଅ ଓ ଦୁଇଜଣ ଝିଅ ଅଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ମହିଳାଜଣକ ପ୍ରଥମ ଥର ଲାଗି ମା’ ହୋଇଛନ୍ତି । ପ୍ରସବ ପରେ ପିଲାମାନଙ୍କ ସହିତ ମା’ ସୁସ୍ଥ ଥିବା ସୂଚନା ମିଳିଛି । ମହିଳା ଏକସଙ୍ଗରେ ୪ଟି ସନ୍ତାନକୁ ଜନ୍ମ ଦେବା ପରେ ତାଙ୍କ ସ୍ୱାମୀ ଏହାକୁ ଚମତ୍କାର ବୋଲି କହିଛନ୍ତି ।
୨୦୨୪ରେ ସିରସା ଟିଟୁ ଖେଡ଼ା ଗାଁର ସୋନୁଙ୍କର ବିବାହ କେଶୁପୁରା ଗାଁର ରଜ୍ଜୋଙ୍କ ସହ ହୋଇଥିଲା । ସୋନୁ ଚାଷବାଷ ସହିତ ଦିନ ମଜୁରିଆ ଭାବେ କାମ କରନ୍ତି । ତାଙ୍କ ପରିବାରରେ ମୋଟ ୬ ଜଣ ସଦସ୍ୟ ଅଛନ୍ତି । ସୋନୁ କହିଛନ୍ତି, ଗର୍ଭାବସ୍ଥାର ତୃତୀୟ ସପ୍ତାହରେ ସେ ରଜ୍ଜୋଙ୍କୁ ସିର୍ସାର ସରକାରୀ ହସ୍ପିଟାଲକୁ ନେଇ ଯିବାରୁ ଡାକ୍ତରମାନେ ଅଲଟ୍ରାସାଉଣ୍ଡ କରି ୩ଜଣ ପିଲା ଥିବା କହିଲେ । ବିଶ୍ୱାସ ନ ହେବାରୁ ସେମାନେ ୨-୩ଥର ଘରୋଇ ହସ୍ପିଟାଲରେ ମଧ୍ୟ ଯାଞ୍ଚ କରାଇଥିଲେ । ସେଠାରେ ଡାକ୍ତରମାନେ ୩ ନୁହଁ, ୪ଟି ପିଲା ଥିବା କହିଥିଲେ । ମା’ଙ୍କର ସ୍ୱତନ୍ତ୍ର ଯତ୍ନ ନେବାକୁ ହେବ ବୋଲି ବି ବୁଝାଇଥିଲେ । ମେ ୧୪ରେ ରଜ୍ଜୋଙ୍କୁ ସିରସାର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେହିଦିନ ହିଁ ତାଙ୍କର ସିଜରିଆନ୍ ପ୍ରସବ ହୋଇଥିଲା । ପ୍ରସବର ୩ ଦିନ ପରେ ରଜ୍ଜୋଙ୍କୁ ଡିସ୍ଚାର୍ଜ କରି ଦିଆଯାଇଥିଲା । କିନ୍ତୁ ପିଲାଙ୍କୁ ହସ୍ପିଟାଲର ନର୍ସରୀରେ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ରଜ୍ଜୋଙ୍କ ଷ୍ଟିଚ୍ରେ ଦରଜ ହେବାରୁ ତାଙ୍କୁ ପୁଣି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଜୁନ୍ ୪ରେ ପିଲାଙ୍କ ସହିତ ରଜ୍ଜୋଙ୍କୁ ଡିସ୍ଚାର୍ଜ ମିଳିଛି ।