
ଭୁବନେଶ୍ୱର: କୃଷି ଓଭର୍ସିଅରମାନଙ୍କ ମାସିକ ଗସ୍ତଭତ୍ତା ୪୫୦ ଟଙ୍କାରୁ ୧୫୦୦ ଟଙ୍କାକୁ ବୃଦ୍ଧି ପାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । କୃଷି ଓଭର୍ସିଅରମାନଙ୍କୁ ଅତି କମରେ ୨୦ ଦିନ ଗସ୍ତ କରିବାକୁ ପଡ଼ିଥାଏ । ପୂର୍ବରୁ ସେମାନଙ୍କ ମାସିକ ଗସ୍ତଭତ୍ତା ୩୦୦ ଟଙ୍କା ଥିବାବେଳେ ୨୦୨୩ରେ ୪୫୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ଏହାପରେ ସମାନ ସ୍ତରରେ ଥିବା ଅଧିକାଂଶ ପଦବୀ ଗୁଡ଼ିକର ମାସିକ ଗସ୍ତଭତ୍ତା ବୃଦ୍ଧି ପାଇଥିବା ବେଳେ କୃଷି ଓଭର୍ସିଅରମାନଙ୍କ ଭତ୍ତା ବଢ଼ିନଥିଲା । ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଦ୍ୱାରା କୃଷି ଓଭର୍ସିଅରମାନେ ନିୟମିତ ଭାବେ ଗସ୍ତ କରିବା ପାଇଁ ପ୍ରୋତ୍ସାହିତ ହେବେ ।
ଅନ୍ୟପକ୍ଷରେ ଅଦିନିଆ ବର୍ଷାକୁ ରାଜ୍ୟଭିତ୍ତିକ ବିପର୍ୟ୍ୟୟ ଭାବେ ଗ୍ରହଣ କରିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ଦେଇଛନ୍ତି । ଏହାଦ୍ୱାରା ଓଡ଼ିଶାର କୃଷକମାନେ ଅଦିନିଆ ବର୍ଷାରେ ହେଉଥିବା କ୍ଷୟକ୍ଷତି ଲାଗି ରାଜ୍ୟ ବିପର୍ୟ୍ୟୟ ମୁକାବିଲା ପାଣ୍ଠିରୁ ସହାୟତା ପାଇପାରିବେ । SDRF ର ବାର୍ଷିକ ଆବଣ୍ଟନର ସର୍ବାଧିକ ୧୦ ପ୍ରତିଶତ ଅର୍ଥ ଏଥିପାଇଁ ବିନିଯୋଗ ହୋଇପାରିବ । ସମୁଦାୟ ୯ଟି ବିପର୍ୟ୍ୟୟ ରାଜ୍ୟଭିତ୍ତିକ ବିପର୍ୟ୍ୟୟ ଭାବେ ଘୋଷିତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଦ୍ୱାରା ଅଦିନିଆ ବର୍ଷା ସ୍ଥାୟୀ ଭାବେ ଏକ ରାଜ୍ୟଭିତ୍ତିକ ବିପର୍ୟ୍ୟୟ ଭାବେ ଗୃହୀତ ହୋଇଛି । ଏହା ଫଳରେ ଅଦିନିଆ ବର୍ଷା ଫଳରେ ଚାଷୀମାନଙ୍କ ହେଉଥିବା କ୍ଷଯକ୍ଷତି ପାଇଁ ରାଜ୍ୟ ବିପର୍ୟ୍ୟୟ ମୁକାବିଲା ପାଣ୍ଠିରୁ ସହାୟତା ପ୍ରଦାନ କରାଯାଇପାରିବ ।