
ଯାଜପୁର: ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ଛତିଆ ଓଭରବ୍ରିଜ ନିକଟରେ ଭୟଙ୍କର ବୋମା ବିସ୍ଫୋରଣ । ବୋମା ବିସ୍ଫୋରଣରେ ଦୁଇଜଣ ମୃତ୍ୟୁବରଣ କରିଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହେଇଥିବା ସୂଚନା ମିଳିଛି । ଛତିଆ ଓଭରବ୍ରିଜ୍ ନିକଟରେ ଘଟିଛି ଏହି ବିସ୍ଫୋରଣ । ତେବେ ବୋମା ମାଡ଼ର କାରଣ ଅସ୍ପଷ୍ଟ ରହିଛି ।
ଘଟଣା ସ୍ଥଳରେ ଦୁଇଜଣ ବ୍ୟକ୍ତିଙ୍କ ଶରୀର ଖଣ୍ଡବିଖଣ୍ଡିତ ହୋଇ ପଡିଥିବା ବେଳେ ଦୁଇଗୋଟି ବାଇକ ଛିନ ଛତ୍ର ହୋଇଯାଇଛି । ବୈରୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ ସହାୟତାରେ ଘଟଣାର ତଦନ୍ତ ଚଳାଇଛି । ବରିଷ୍ଠ ଅଧିକାରୀ ମାନେ ପହଞ୍ଚି ଘଟଣାର ଯାଞ୍ଚ କରୁଛନ୍ତି ।
ହଠାତ୍ କେହି କିଛି ବୁଝିପାରିନଥିଲେ । କିଏ ଭାବିଥିଲା କାହାର ଟାୟାର ବୋଧେ ଫାଟିଗଲା । ଦେଖିଲା ବେଳକୁ ଏଠାରେ ଘଟିଛି ଏକ ଆକସ୍ମିକ ବୋମା ବିସ୍ଫୋରଣ ଘଟଣା ।ସୂଚନା ଅନୁଯାୟୀ ଦୁଇଟି ବାଇକରେ ଆସୁଥିଲେ ତିନିଜଣ ଯୁବକ । କେହି କେହି କହୁଛନ୍ତି ହୁଏତ ସେମାନେ ବାଇକରେ ବୋମା ନେଇ ଯାଉଥିବା ସମୟରେ ଏପରି ଘଟଣା ଘଟିଛି । ଆଉ କିଏ କହୁଛି କେହି ଦୁର୍ବୃତ୍ତ ଏମାନଙ୍କ ଉପରକୁ ବୋମା ମାଡ କରିଛନ୍ତି । ତେବେ ଏଯାଏଁ ଏହାର କାରଣ ଅସ୍ପଷ୍ଟ ହୋଇ ରହିଛି ।ମିଳିଥିବା ସୂଚନା ଅନୁଯାୟୀ ମୃତକ ଦୁଇଜଣଙ୍କ ମଧ୍ୟରେ ଜଣେ ଦେଉଳକୁର ମୁଣ୍ଡାସାହି ଅଞ୍ଚଳର ରାମ ପିଙ୍ଗୁଆ ହୋଇଥିବା ବେଳେ ଅନ୍ୟ ଜଣେ ମୃତକ ଖୁଣ୍ଟୁଣି ଅଞ୍ଚଳର ମଣ୍ଟୁ ପାତ୍ର ବୋଲି କୁହାଯାଉଛି । ସେହିପରି ଆହତ ଜଣକ ଦେଉଳକୁର ମୁଣ୍ଡାସାହିର ମଧୁ ମୁଣ୍ଡା ବୋଲି ଦର୍ଶାଯାଇଥିବା ବେଳେ ଆହତଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ବଡଚଣା ମେଡ଼ିକାଲକୁ ନିଆଯାଇଛି ।