
ଭୁବନେଶ୍ବର: ଫକୀରମୋହନ କଲେଜ ଛାତ୍ରୀଙ୍କ ଆତ୍ମହୁତି ଉଦ୍ୟମ ଘଟଣାରେ ଜାତୀୟ ମହିଳା କମିଶନଙ୍କ ହସ୍ତକ୍ଷେପ । ନିଜ ଆଡ଼ୁ ମାମଲା ରୁଜୁ କଲା ଜାତୀୟ ମହିଳା କମିଶନ । ଘଟଣାର ଦୃଢ଼ ନିନ୍ଦା ସହ କାର୍ଯ୍ୟାନୁଷ୍ଠାନ ଦାବି କଲା କମିଶନ । ପୋଲିସ ଡିଜିଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ୩ ଦିନରେ ଆକ୍ସନ ରିପୋର୍ଟ ଦେବାକୁ ମଧ୍ୟ ନିର୍ଦ୍ଦେଶ ରହିଛି ।
ଏହି ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ରାଜ୍ୟ ମହିଳା କଂଗ୍ରେସ। ଏକ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ଉପରେ ବର୍ଷିଛନ୍ତି ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହିନୀପତି। ସେ କହିଛନ୍ତି, ଛାତ୍ରୀ ଜଣଙ୍କୁ ଅଧ୍ୟାପକ ସମୀର ସାହୁ ବାରମ୍ବାର ନିର୍ଯାତନା ଦେଇଛନ୍ତି। ସେହି କଲେଜ୍ରେ ସ୍ଥାୟୀ ପ୍ରିନ୍ସିପାଲ୍ ନାହାନ୍ତି। ଛାତ୍ରୀ ଜଣଙ୍କ ଘଟଣା ସଂପର୍କରେ ବିଧାୟକ, ସାଂସଦ ଓ ପୁଲିସକୁ କହିଛନ୍ତି। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା। ଛାତ୍ରୀଙ୍କୁ ନ୍ୟାୟ ମିଳୁ। ଦୋଷୀଙ୍କୁ ଦଣ୍ତ ଦିଆଯାଉ।
ଏହି ଘଟଣାକୁ ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛି ଛାତ୍ର ବିଜେଡି। ବିଧାୟକ ବ୍ୟୋମକେଶ ରାୟ ଓ ଦେବୀରଞ୍ଜନ ତ୍ରିପାଠୀ ପ୍ରମୁଖ ଏଥିରେ ସାମିଲ ହୋଇଛନ୍ତି। ଛାତ୍ର ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି। ସେହିପରି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ବାସଭବନ ଘେରାଉ କରିଛି ଛାତ୍ର କଂଗ୍ରେସ।