
ନୂଆଦିଲ୍ଲୀ: ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର ଆଜି ୫୦ ବର୍ଷ ପୂରଣ ହୋଇଛି । ୧୯୭୫ ମସିହା ଠିକ ଆଜିରେ ଦିନରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ‘ଅଲ ଇଣ୍ଡିଆ ରେଡିଓ’ରେ ଦେଶବାସୀଙ୍କୁ ସମ୍ବୋଧିତ କରି ଜରୁରୀକାଳୀନ ସ୍ଥିତି ଜାରି କରାଯାଉଥିବା ନେଇ ଘୋଷଣା କରିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ । ଦେଶରେ ଆଭ୍ୟନ୍ତରୀଣ ଅସ୍ଥିରତା କାରଣରୁ ପୂର୍ବତନ ରାଷ୍ଟ୍ରପତି ଫକୁରୁଦ୍ଦିନ ଅଲ୍ଲୀ ଅହମ୍ମଦ ଏହାକୁ ଜାରି କରିଥିବା ଇନ୍ଦିରା ଦେଶବାସୀଙ୍କୁ ଅବଗତ କରାଇଥିଲେ । ଏହା ଶୁଣିବା ପରେ ପୁରା ଦେଶ ସ୍ତବ୍ଧ ହୋଇଯାଇଥିଲା । ଜୁରୁରୀପରିସ୍ଥିତିକୁ ଆଜି ୫୦ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବିଧାନର ନୀତିଗୁଡ଼ିକୁ ସୁଦୃଢ଼ କରିବା ଏବଂ ବିକଶିତ ଭାରତର ସ୍ବପ୍ନକୁ ସାକାର କରିବା ପାଇଁ ଏକାଠି କାମ କରିବାର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି।ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି, ” ଆଜି ଭାରତର ଗଣତାନ୍ତ୍ରିକ ଇତିହାସର ସବୁଠାରୁ କଳା ଅଧ୍ୟାୟର ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର ପଚାଶ ବର୍ଷ ପୂରଣ ହେଉଛି। ଭାରତର ଲୋକମାନେ ଏହି ଦିନକୁ ସମ୍ବିଧାନ ହତ୍ୟା ଦିବସ ଭାବରେ ପାଳନ କରୁଛନ୍ତି । ଏହି ଦିନ ସମ୍ବିଧାନ ପାଳନ କରୁଥିବା ମୂଲ୍ୟବୋଧର ଏହା ସମ୍ପୂର୍ଣ୍ଣ ବିପରୀତ ଥିଲା, ମୌଳିକ ଅଧିକାରକୁ ଛଡାଇ ନିଆଯାଇଥିଲା,ପ୍ରେସ୍ ସ୍ୱାଧୀନତା ଉପରେ ପ୍ରତିବନ୍ଧକ ଲାଗିଥିଲା। ଅନେକ ରାଜନୈତିକ ନେତା, ସାମାଜିକ କର୍ମୀ, ଛାତ୍ର ଏବଂ ସାଧାରଣ ନାଗରିକଙ୍କୁ ଜେଲରେ ରଖାଯାଇଥିଲା ।”
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ” ଜରୁରୀକାଳୀନ ବିରୋଧରେ ଲଢିଥିବା ସମସ୍ତ ବ୍ୟକ୍ତିଙ୍କୁ ସଲାମ । ଏମାନେ ସମଗ୍ର ଭାରତର ସମସ୍ତ କ୍ଷେତ୍ରରୁ, ବିଭିନ୍ନ ବିଚାରଧାରାର ଲୋକ ଥିଲେ ଯେଉଁମାନେ ଗୋଟିଏ ଲକ୍ଷ୍ୟ ସହିତ ମିଳିମିଶି କାର୍ୟ୍ୟ କରିଥିଲେ । ଭାରତର ଗଣତାନ୍ତ୍ରିକ ଗଠନକୁ ରକ୍ଷା କରିବା ଏବଂ ଆମର ସ୍ୱାଧୀନତା ସଂଗ୍ରାମୀମାନେ ଯେଉଁ ଆଦର୍ଶ ପାଇଁ ସେମାନଙ୍କ ଜୀବନ ଉତ୍ସର୍ଗ କରିଥିଲେ ତାହାକୁ ସଂରକ୍ଷଣ କରିବା। ଆମେ ଆମର ସମ୍ବିଧାନର ସିଦ୍ଧାନ୍ତ ଗୁଡ଼ିକୁ ସୁଦୃଢ଼ କରିବା ଏବଂ ଏକ ବିକାଶିତ ଭାରତର ଆମର ଦୃଷ୍ଟିକୋଣକୁ ସାକାର କରିବା ପାଇଁ ଏକାଠି କାମ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ମଧ୍ୟ ଦୋହରାଉଛୁ। ଆମେ ପ୍ରଗତିର ନୂତନ ଶିଖରକୁ ଛୁଇଁବା ଏବଂ ଗରିବ ଏବଂ ଦଳିତଙ୍କ ସ୍ୱପ୍ନକୁ ପୂରଣ କରିବା।”
ଗତ ବର୍ଷ କେନ୍ଦ୍ର ସରକାର ଜରୁରୀକାଳୀନ ପରିସ୍ଥିତି ଦିନକୁ “ସମ୍ବିଧାନ ହତ୍ୟା ଦିବସ” ଭାବରେ ପାଳନ କରାଯିବା ନେଇ ଘୋଷମା କରାଯାଇଥିଲା । ତତ୍କାଳୀନ ଇନ୍ଦିରାଗାନ୍ଧୀ ସରକାର ସେହି ସମୟରେ ଏକ ଛତ୍ରବାଦୀ ଶାସନ କରିଥିବାରୁ ‘ସମ୍ବିଧାନ ହତ୍ୟା ଦିବସ’ପାଳନ କରାଯିବ ବୋଲି ବିଜେପି କହିଥିଲା ।