
ଯାଜପୁର: ଯାଜପୁର ଜିଲ୍ଲାରେ ବ୍ୟାପୁଥିବା ଝାଡ଼ାବାନ୍ତିକୁ ନିୟନ୍ତ୍ରଣ ପାଇଁ ପ୍ରଶାସନ ପୂରା ଦମ୍ରେ ଲାଗିପଡ଼ିଛି। ଯଥାଶୀଘ୍ର ଯେପରି ଏହି ସମସ୍ୟାରୁ ମୁକ୍ତି ମିଳିବ ସେଥିପାଇଁ ଘରକୁ ଘର ସର୍ଭେ କରି ଆରମ୍ଭରୁ ରୋଗ ଚିହ୍ନଟ କରିବା, ସରକାରୀ ଡାକ୍ତରଖାନାରେ ବେଡ୍ ସଂଖ୍ୟା ବୃଦ୍ଧି, ଉପଯୁକ୍ତ ଚିକିତ୍ସା, ହସ୍ପିଟାଲରେ ଆବଶ୍ୟକ ମେଡିସିନ୍ ଓ ସାଲାଇନ୍ ମହଜୁଦ୍ ରଖିବା ଉପରେ ଗୁରୁତ୍ବାରୋପ କରିଛନ୍ତି ମୁଖ୍ୟ ଶାସନ ସଚିବ। ସେପଟେ ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ସ୍ବତନ୍ତ୍ର ମେଡିକାଲ ଟିମ୍ ଘନ ଘନ ଗାଁକୁ ଯାଇ ପରୀକ୍ଷା କରୁଛନ୍ତି।
ଏହି କ୍ରମରେ ଏବେ ବରୀ ଅଞ୍ଚଳରେ ମାଛ, ଚିକେନ, ଫାଷ୍ଟ ଫୁଡ୍ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ତହସିଲଦାର। ଅର୍ଥାତ ଏବେ ଏଠାରେ ଏସବୁ ଜିନିଷ ବିକ୍ରି କରାଯାଇପାରିବନାହିଁ। ସେହିଭଳି ଚାଟ୍, ଗୁପଚୁପ, ମିଠା, ଆଇସକ୍ରିମ୍ ବିକ୍ରିକୁ ମଧ୍ୟ ମନା। ଏହା ସହ ବରୀ ଅଞ୍ଚଳରେ ଖୋଲିବନି ହୋଟେଲ, ଜଳଖିଆ ଦୋକାନ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହି କଟକଣା ୨ ସପ୍ତାହ ଯାଏ ଲଗାଯାଇଛି।ଏହା ପୂର୍ବରୁ ମଧ୍ୟ ଯାଜପୁରରେ କଲେରା ଚିହ୍ନଟ ହେବା ପରେ ପ୍ରଶାସନ ସାମୂହିକ ସମାବେଶରେ ଭୋଜିର ଆୟୋଜନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।