
ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଡାଇରିଆ ସଙ୍କଟ ଦେଖା ଦେଇଛି । ଅନେକ ଲୋକ ଆକ୍ରାନ୍ତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି । ଯାଜପୁର ଏବଂ କେନ୍ଦୁଝରରେ ଝାଡାବାନ୍ତି ବ୍ଯାପି ଥିବାର ଖବର ଆସିବା ମାତ୍ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଦକ୍ଷେପ ନେଇଛନ୍ତି । ତୁରନ୍ତ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।ସେପଟେ ଡାଇରିଆ ସଙ୍କଟକୁ ନେଇ ଚିନ୍ତାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋସିଆଲ ମିଡିଆରେ ମୋହନ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ସଭାପତି ।
ଯାଜପୁର ଏବଂ କେନ୍ଦୁଝରରେ ଝାଡାବାନ୍ତି ବ୍ଯାପି ଥିବାର ଖବର ଆସିବା ପରେ ମୁଖ୍ୟମନ୍ତ୍ରୀ ତୁରନ୍ତ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଜିଲ୍ଲାର ସବୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ହାଇ ଆଲର୍ଟ ମୋଡରେ ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ଯାଜପୁର ଜିଲ୍ଲାର ସମସ୍ତ ପାନୀୟ ଜଳ ଉତ୍ସକୁ ଯଥାଶୀଘ୍ର ବିଶୋଧନ, ଅନ୍ୟାଦେଶ ପର୍ଯ୍ୟନ୍ତ ରାସ୍ତାକଡ ଖାଦ୍ଯ ଉପରେ କଟକଣା,ଖାଦ୍ଯ ସୁରକ୍ଷା ଯାଞ୍ଚକୁ କଡାକଡି କରିବା ପାଇଁ ପଦକ୍ଷେପ ନିଆଯାଉଛି । ପଡୋଶୀ ଜିଲ୍ଲାକୁ ଯେପରି ଏହି ରୋଗ ନ ବ୍ୟାପିବ ସେଥିପାଇଁ ସେମାନଙ୍କୁ ସଜାଗ ରହିବା ପାଇଁ ପରାମର୍ଶ ଦିଆଯାଉଛି ।
ଝାଡାବାନ୍ତି ରୋଗକୁ ନିୟନ୍ତ୍ରଣରେ ଆଣିବା ପାଇଁ ଯଥେଷ୍ଟ ଔଷଧ ଏବଂ ଅନ୍ଯାନ୍ଯ ସାମଗ୍ରୀ, ଡାକ୍ତରୀ ଦଳକୁ ନିୟୋଜିତ କରାଯାଇଛି । ରୋଗ ଆରମ୍ଭ ସମୟରୁ ହିଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରୁ ଡାକ୍ତରୀ ଦଳ ଯାଇ ରୋଗୀ ମାନଙ୍କ ଚିକିତ୍ସା କରିବା ସହ ପରିସ୍ଥିତି ଉପରେ ନଜର ରଖିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲାର ଡାକ୍ତର ଓ ଅନ୍ୟ ଅଧିକାରୀ ମାନଙ୍କ ସହ ନିୟମିତ ଆଲୋଚନା କରି ସ୍ଥିତି ଉପରେ ନଜର ରଖିଛନ୍ତି । ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ରାଜ୍ୟ ସରକାରଙ୍କୁ ଝାଡାବାନ୍ତି ନିୟନ୍ତ୍ରଣରେ ସହାୟତା କରିବା ପାଇଁ କେନ୍ଦ୍ର ସରକାରଙ୍କ ‘ଭାରତୀୟ ଆୟୂର୍ବିଜ୍ଞାନ ଗବେଷଣା ପରିଷଦ (ICMR)ର ଟିମ ମଧ୍ୟ ଓଡିଶା ଆସିଥିଲେ ।