
ଅଧ୍ୟାପକଙ୍କ ବିରୋଧରେ ମାନସିକ ନିର୍ୟାତନା ଆଣି ଗତକାଲି ଆତ୍ମାହୁତି ଉଦ୍ୟମ କରିଥିବା ବାଲେଶ୍ୱର ଏଫ୍ଏମ୍ ସ୍ୱୟଂଶାସିତ ମହାବିଦ୍ୟାଳୟର ଦ୍ୱିତୀୟ ବର୍ଷର ଇଣ୍ଟିଗ୍ରେଟେଡ୍ ବିଏଡ୍ ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ବିଶେଷ କିଛି ସୁଧାର ଆସିନି ବୋଲି ଆଜି କହିଛନ୍ତି ଭୁବନେଶ୍ୱର ଏମ୍ସର ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ। ଏହି ଘଟଣାରେ ଦିଲ୍ଲୀରୁ ଫେରିଲା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ ହୋଇସାରିଛି। ରିପୋର୍ଟ ଆସିବା ପରେ କଠୋର କାର୍ୟ୍ୟାନୁଷ୍ଠାନ ନିଆଯିବ।
ଏହା ସହିତ ମୁଖ୍ୟମନ୍ତ୍ରୀ ଏମ୍ସ ଯାଇ ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରିବୁଝିଛନ୍ତି। ସେ କହିଛନ୍ତି, ଦିଲ୍ଲୀ ଏମ୍ସ ଷ୍ଟାଣ୍ଡାର୍ଡର ଚିକିତ୍ସା ଯୋଗାଇ ଦିଆଯାଉଛି। ଆଗାମୀ ୨୪ ଘଣ୍ଟା ଛାତ୍ରୀ ଜଣଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଭିଡିଓ କନ୍ଫରେନ୍ସରେ ଭୁବନେଶ୍ୱର ଏମ୍ସ କର୍ତ୍ତୃପକ୍ଷ ଦିଲ୍ଲୀ ଏମ୍ସ ସହ ଯୋଗାଯୋଗରେ ଅଛନ୍ତି। ବର୍ତ୍ତମାନ ଆହତ ଛାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି, ସ୍ଥାନାନ୍ତର ସମ୍ଭବ ନୁହେଁ। ଯଦି ଆଗକୁ ସ୍ଥିତି ସ୍ୱାଭାବିକ ହେବ, ତା’ହେଲେ ଦିଲ୍ଲୀ ଏୟାରଲିଫ୍ଟ କରାଯିବ।