
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ଶୁଣାଣି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ପାଟଣାଗଡ଼ ଏଡିଜି କୋର୍ଟରେ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।
ସାଢେ ୭ବର୍ଷ ପରେ ଚୂଡାନ୍ତ ରାୟ ଆସିବାକୁ ଯାଉଥିବାରୁ ନ୍ୟାୟ ଅପେକ୍ଷାରେ ରହିଛନ୍ତି ବିସ୍ଫୋରଣରେ ପ୍ରାଣ ହରାଇଥିବା ସୌମ୍ୟ ଶେଖରଙ୍କ ପରିବାର । କୋର୍ଟ ତାଙ୍କ ପୁଅ ଓ ପରିବାରକୁ ନ୍ୟାୟ ଦେବେ ବୋଲି ଆଶାବାଦୀ ଅଛନ୍ତି ସୌମ୍ୟ ଶେଖରଙ୍କ ବାପା ଓ ମା । ଅଭିଯୁକ୍ତ ପୁଞ୍ଜିଲାଲଙ୍କୁ ଫାଶୀ ଦେବାକୁ ଦାବି କରିଛନ୍ତି ସୌମ୍ୟଙ୍କ ପରିବାର ।
ସୂଚନା ଅନୁସାରେ ୨୦୧୮ ଫେବୃଆରୀ ୨୩ ତାରିଖରେ ପାଟଣାଗଡ ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ପୁଅ ବାହାଘରକୁ ଉପହାର ଆକାରରେ ଆସିଥିବା ପାର୍ସଲ ବୋମା ବିସ୍ଫୋରଣରେ ସୌମ୍ୟଶେଖର ଓ ତାଙ୍କ ଜେଜେ ମା’ଙ୍କର ମୃତ୍ୟୁ ହୋଇଥିଲା । ଏଥିରେ ସୌମ୍ୟଙ୍କ ସ୍ତ୍ରୀ ରିମାରାଣୀ ଗୁରୁତର ହୋଇ ଦୀର୍ଘ ଦିନ ଧରି ଚିକିତ୍ସିତ ହେବା ପରେ ସୁସ୍ଥ ହୋଇଥିଲେ ।