
ନୂଆଦିଲ୍ଲୀ: ପିଏନ୍ବି ମହାଘୋଟାଲାର ଆଉ ଜଣେ ସୁତ୍ରଧର ନୀରବ ମୋଦିର ଜାମିନ ଆବେଦନ ଖାରଜ । ଲଗାତାର ୧୦ମ ଥର ପାଇଁ ବେଲ୍ ପିଟିସନ୍କୁ ଅଗ୍ରାହ୍ୟ କରିଛନ୍ତି ଲଣ୍ଡନ ହାଇକୋର୍ଟ । ୨୦୧୯ ମାର୍ଚ୍ଚ ୧୯ରୁ ବ୍ରିଟେନ୍ ଜେଲରେ ବନ୍ଦୀ ଅଛନ୍ତି ନୀରବ ମୋଦି । ଭାରତ ସରକାର ଆଶଙ୍କା ପ୍ରକାଶ କରିଥିଲେ ଯେ ଯଦି ନୀରବ ମୋଦିଙ୍କୁ ଜାମିନ ଦିଆଯାଏ, ତେବେ ସେ ପୁଣି ଫେରାର୍ ହୋଇପାରନ୍ତି। କୋର୍ଟ ଏହି ଯୁକ୍ତିକୁ ଗମ୍ଭୀରତାର ସହ ନେବା ସହ ଜାମିନ ଆବେଦନକୁ ଖାରଜ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ନୀରବ ମୋଦି ଲଣ୍ଡନ ହାଇକୋର୍ଟରେ ପ୍ରତ୍ୟର୍ପଣ ଅନୁରୋଧ ଉପରେ ନିଷ୍ପତ୍ତି ଆସିବା ଯାଏଁ ଜେଲରୁ ମୁକୁଳିବାକୁ ଜାମିନ ଆବେଦନ କରିଥିଲେ । ବେଲ୍ ପିଟିସନ୍ ଖାରଜ ହୋଇଥିବା ନେଇ ସିବିଆଇ ପକ୍ଷରୁ ସୂଚନା ମିଳିଛି । ତାଙ୍କର ୧୦ମ ଥର ଦାୟର ହୋଇଥିବା ଜାମିନ ଆବେଦନ ଯାହା ଅଗ୍ରାହ୍ୟ କରିଛନ୍ତି ୟୁକେ ହାଇକୋର୍ଟ ଜଷ୍ଟିସ୍ କିଙ୍ଗଙ୍କ ଖଣ୍ଡପୀଠ ।
ପିଏନ୍ବି ମହାଘୋଟାଲାର ଅନ୍ୟତମ ପଳାତକ ହୀରା ବ୍ୟବସାୟୀ ମୋହୁଲ ଚୋକସୀ କିଛି ଦିନ ତଳେ ବେଲଜିୟମରୁ ଗିରଫ ହୋଇଥିଲା । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ୧୪ ହଜାର କୋଟି ଟଙ୍କା ଘୋଟାଲାର ସୁତ୍ରଧର ମେହୁଲ ଚୋକସୀ । ଭାରତୀୟ ତଦନ୍ତ ଏଜେନ୍ସିର ପ୍ରତ୍ୟର୍ପଣ ଆବେଦନ ପରେ ଗତ ଏପ୍ରିଲ ୧୨ରେ ବେଲଜିୟମ ପୋଲିସ ମୋହୁଲକୁ ଗିରଫ କରିଥିଲା । କୋଟି କୋଟି ଟଙ୍କା ଋଣ ଜାଲିଆତି କରି ୨୦୧୮ରେ ଭାରତରୁ ଫେରାର ହୋଇଯାଇଥିଲା । ଖୁବଶୀଘ୍ର ମେହୁଲକୁ ଭାରତ ପ୍ରତ୍ୟର୍ପଣ ନେଇ ପ୍ରସ୍ତୁତି ଜାରି ରହିଛି ।