
ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ନାୟକାଣିଡ଼ିହି ଥାନା ଭୁଟାନାସିରେ ଗାଁରେ ମାମୁ ଘରକୁ ଆସିଥିବା ବେଳେ ପୋଖରୀରେ ବୁଡ଼ିଗଲେ ଦୁଇ ଶିଶୁ କନ୍ୟା। ମୃତ ଶିଶୁ କନ୍ୟା ଦ୍ୱୟଙ୍କ ନାଁ ଚାନ୍ଦିନୀ ମଣ୍ଡଳ (୬) ଓ ନନ୍ଦିନୀ ମଣ୍ଡଳ (୪)। ସେମାନଙ୍କ ନିଜ ଘର ଚାନ୍ଦବାଲି ବ୍ଲକ କରଣପଲ୍ଲୀ ଗାଁରେ। ସେମାନଙ୍କ ବାପାଙ୍କ ନାଁ ରତନ ମଣ୍ଡଳ। ଚାନ୍ଦିନୀ ଓ ନନ୍ଦିନୀଙ୍କ ମାମୁଙ୍କ ଦେହ ଭଲ ନଥିଲା। ସେଥିପାଇଁ ତାଙ୍କୁ ଦେଖିବାକୁ ସେମାନଙ୍କ ବାପାମା’ ଭୁଟାନାସି ଆସିଥିଲେ। ରତନ ପତ୍ନୀଙ୍କ ସହିତ ମିଶି ଆଜି ଶାଳକଙ୍କୁ ଡାକ୍ତରଖାନା ନେଇଥିଲେ। ସୂଚନା ଅନୁଯାୟୀ, ଏହି ସମୟରେ ଘରର ଅନ୍ୟ ସଦସ୍ୟଙ୍କ ଅଗୋଚରରେ ଚାନ୍ଦିନୀ ଓ ନନ୍ଦିନୀ ପାଖ ପୋଖରୀ ପାଖକୁ ଚାଲି ଯାଇଥିଲ ଏବଂ ବୁଡ଼ି ଯାଇଥିଲେ। ବହୁ ସମୟ ପର୍ୟ୍ୟନ୍ତ ସେମାନଙ୍କୁ ଘରେ ନଦେଖି ଘରର ଅନ୍ୟ ସଦସ୍ୟମାନେ ଖୋଜାଖୋଜି କରିଥିଲେ। କୌଣସି ସ୍ଥାନରେ ସେମାନଙ୍କୁ ନପାଇବା ପରେ ସନ୍ଦେହରେ ପାଖ ପୋଖରୀରେ ଖୋଜାଖୋଜି କରିଥିଲେ। ସେମାନଙ୍କ ସନ୍ଦେହ ସତ ହେଲା। ପୋଖରୀରୁ ଦୁଇ ଭଉଣୀଙ୍କୁ ପାଇଥିଲେ ପରିବାର ଲୋକେ। ସେମାନଙ୍କୁ ବାସୁଦେବପୁର ଡାକ୍ତରଖାନା ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ଦୁଇ ଭଉଣୀଙ୍କୁ ମୃତ ଘୋଷଣା କରିଥିଲେ।