ବଦଳିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠିକଣା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କ୍ୱାର୍ଟର୍ସର ଠିକଣା ବଦଳିବା ପରେ ଏବେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ (ସିଏମ୍‌ ଗ୍ରିଭାନ୍ସ ସେଲ୍‌) ଠିକଣା ବଦଳିବାକୁ ଯାଉଛି । ୧୯୯୫ରୁ ଏଜି ଛକ-ରାଜଭବନ ରାସ୍ତାରେ ଏହି ଅଭିଯୋଗ ପ୍ରକୋଷ୍ଠ ରହି ଆସିଥିଲା । ଦୀର୍ଘ ୩୦ ବର୍ଷ ପରେ ଏହାର ଠିକଣା ବଦଳିବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ମଞ୍ଜୁରି ଦେଇଛନ୍ତି ।

ୟୁନିଟ୍‌-୨ କ୍ୟାପିଟାଲ ନର୍ସରୀକୁ ଲାଗି ରହିଥିବା ମଣ୍ଡଳ ସାଧନ କେନ୍ଦ୍ର ଓ ପୁରୁଣା ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ ମୁଖ୍ୟମନ୍ତ୍ରୀଙ୍କ ନୂଆ ଅଭିଯୋଗ ପ୍ରକୋଷ୍ଠ ତିଆରି ହେବ । ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଏହି ମଣ୍ଡଳ ସାଧନ କେନ୍ଦ୍ରରେ ଶିକ୍ଷକମାନଙ୍କୁ ତାଲିମ ଦିଆଯାଏ । ସ୍ଥାନୀୟ ଅଞ୍ଚଳର ଦୁଇଟି ଅଙ୍ଗନବାଡ଼ି କେନ୍ଦ୍ର ବି ଏହାର ପରିସରରେ ଚାଲୁଥିଲା । ଏହି ସ୍ଥାନରେ ଠିଆ ହେବ ସ୍ଥାୟୀ ଅଭିଯୋଗ ପ୍ରକୋଷ୍ଠ । ମୁଖ୍ୟମନ୍ତ୍ରୀ ସୋମବାର ଦିନ ଏଠାକୁ ଆସି ଲୋକଙ୍କଠାରୁ ଅଭିଯୋଗ ଶୁଣିବେ । ଏଥିପାଇଁ ନୂଆ ପ୍ରତୀକ୍ଷାଳୟ ତିଆରି ହେବ । ଏଠାରେ ୫୦୦ରୁ ୭୦୦ ଲୋକ ବସି ଅପେକ୍ଷା କରିବା ଭଳି ସୁବିଧା ରହିବ । ଏହାକୁ ସେଣ୍ଟ୍ରାଲ ଏସି କରାଯିବ । ଅଭିଯୋଗ ଦେବାକୁ ଅଧିକ ଲୋକ ଆସୁଥିବାରୁ ଏକାଧିକ ଶୌଚାଳୟ କମ୍ପେ୍ଲକ୍ସ ତିଆରି ହେବ । ମୁଖ୍ୟମନ୍ତ୍ରୀ ବସି ଅଭିଯୋଗ ଶୁଣିବା ପାଇଁ ଏକ ବଡ଼ ହଲ୍‌ ରହିବ । ଅଫିସରଙ୍କ ପାଇଁ ସ୍ୱତନ୍ତ୍ର ପ୍ରକୋଷ୍ଠ ରହିବ । ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ।

ମୁଖ୍ୟମନ୍ତ୍ରୀଙ୍କ ଏହି ଅଭିଯୋଗ ପ୍ରକୋଷ୍ଠ ତିଆରି ପାଇଁ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ । ନୂଆ ନିର୍ମାଣ ସହ ପୁରୁଣା କୋଠାକୁ ନବୀକରଣ କରାଯିବ । ଏହାକୁ ସମ୍ପୂର୍ଣ୍ଣ ନୂଆ ରୂପ ଦିଆଯିବ । ଏଥିପାଇଁ ପୂର୍ତ୍ତ ବିଭାଗ ଟେଣ୍ଡର ଆହ୍ୱାନ କରିସାରିଛି । ଲୋକଙ୍କ ଗାଡ଼ି ପାର୍କିଂ ପାଇଁ ପାଖ ପଡ଼ିଆରେ ସ୍ୱତନ୍ତ୍ର ସୁବିଧା ରହିବ । ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ ବୋଲି ଜଣାପଡ଼ିଛି ।

ରାଜ୍ୟରେ ସରକାର ବଦଳିବା ପରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ବଙ୍ଗଳାକୁ ଫେରିଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବଙ୍ଗଳାରେ ରହୁନଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଲୋୟର ପିଏମ୍‌ଜିରେ ଥିବା ନିଜର ପୁରୁଣା କ୍ୱାର୍ଟର୍ସ ବଦଳରେ ଏଠାରେ ରହିବାକୁ ନିଷ୍ପତ୍ତି ନେଇଥିଲେ। ନିକଟରେ ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳାକୁ ନୂଆ ରୂପ ଦିଆଯାଇଛି । ସେ ଏହି ବଙ୍ଗଳାକୁ ଗୃହ ପ୍ରବେଶ ବି କରି ସାରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳାକୁ ଲାଗି ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ରହିଥିଲା । ପରେ ଏହାକୁ ପାଖ କ୍ୱାର୍ଟର୍ସକୁ ସ୍ଥାନାନ୍ତର କରାଯାଇଥିଲା ।

ସେଠାରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣୁଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଘରକୁ ଲାଗି ଅଭିଯୋଗ ପ୍ରକୋଷ୍ଠ ରହିଲେ ସୁରକ୍ଷା ପ୍ରତି ବିପଦ ହେବାର ଆଶଙ୍କା ରହିଛି ।ସୋମବାର ଅଭିଯୋଗ ଶୁଣାଣିକୁ ହଜାର ହଜାର ଲୋକ ଆସି ଏକାଠି ହେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳା ପାଖରେ ଏତେ ସଂଖ୍ୟକ ଲୋକଙ୍କ ସମାଗମକୁ ଏଡ଼ାଇବାକୁ ଅଭିଯୋଗ ପ୍ରକୋଷ୍ଠ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ହୋଇଛି ।

  • Garvita Odia

    Related Posts

    ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ

    କେନ୍ଦ୍ରାପଡା: ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ପ୍ରଜନନ ପାଇଁ ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ୟ୍ୟନ୍ତ ଦୀର୍ଘ ୩ ମାସ ଧରି ପର୍ୟ୍ୟଟକ ମାନଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ ।…

    ଓଡ଼ିଶା ଛାଡ଼ି ଯିବାକୁ ନାରାଜ ପାକିସ୍ତାନୀ

    ଭୁବନେଶ୍ୱର: ବ୍ରହ୍ମପୁର ବଡ ମସଜିଦ ସାହିର ରାହିମା ଆରା । ଦୀର୍ଘ ୨୫ ବର୍ଷ ହେବ ପରିବାର ସହ ଓଡ଼ିଶାରେ ରହୁଛନ୍ତି । କିନ୍ତୁ ପରିଚୟ ତାଙ୍କର ପାକିସ୍ତାନୀ । ଭାରତୀୟଙ୍କୁ ବିବାହ କରିଥିବାରୁ ଦୀର୍ଘବର୍ଷ ହେବ ଦୀର୍ଘ ମିଆଦି ଭିସାରେ…

    Leave a Reply

    Your email address will not be published. Required fields are marked *

    You Missed

    ବାରୁଦ କାରଖାନାରେ ବିସ୍ଫୋରଣ, ୩ ମୃତ

    ବାରୁଦ କାରଖାନାରେ ବିସ୍ଫୋରଣ, ୩ ମୃତ

    ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ

    ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ

    ଶିଶୁ ଦୁଷ୍କର୍ମ ରୋକିବାରେ ଅସମର୍ଥ ଅପାରଗ ବିଜେପି ସରକାର: ବିଜେଡି

    ଶିଶୁ ଦୁଷ୍କର୍ମ ରୋକିବାରେ ଅସମର୍ଥ ଅପାରଗ ବିଜେପି ସରକାର: ବିଜେଡି

    ଓଡ଼ିଶା ଛାଡ଼ି ଯିବାକୁ ନାରାଜ ପାକିସ୍ତାନୀ

    ଓଡ଼ିଶା ଛାଡ଼ି ଯିବାକୁ ନାରାଜ ପାକିସ୍ତାନୀ

    ଆଜି ଚାଷୀ କରିବେ ଅଖିମୁଠି ଅନୁକୂଳ

    ଆଜି ଚାଷୀ କରିବେ ଅଖିମୁଠି ଅନୁକୂଳ

    କାଶ୍ମୀରର ୪୮ଟି ପର୍ୟ୍ୟଟନସ୍ଥଳୀ ବନ୍ଦ

    କାଶ୍ମୀରର ୪୮ଟି ପର୍ୟ୍ୟଟନସ୍ଥଳୀ ବନ୍ଦ