
ଭଦ୍ରକ : ଲଗାଣ ବର୍ଷା ପରେ ୬ ଜିଲ୍ଲାରେ ବନ୍ୟା ସ୍ଥିତି । ଖାସ୍ କରି ଭଦ୍ରକରେ ସ୍ଥିତି ସଂଗୀନ ହେବାରେ ଲାଗିଛି । ବୈତରଣୀ ନଦୀରେ ବନ୍ୟା ଜଳ କମ ହେଉଥିଲେ ମଧ୍ୟ କେତେକ ତଳିଆ ଅଞ୍ଚଳରେ ବନ୍ୟା ପାଣି ଜମି ରହିଛି । ତେଣୁ ପ୍ରଭାବିତ ଅଞ୍ଚଳରେ କେତେକ ସ୍କୁଲ ପ୍ରଭାବିତ ହୋଇଥିବା ଯୋଗୁଁ ଦୁଇ ଦିନ ଛୁଟି ଘୋଷଣା କରିଛି ପ୍ରଶାସନ । ଆଖୁଆପଦା ଆନିକଟ ଠାରେ ବିପଦ ସଙ୍କେତ ୧୮.୩୩ ମିଟର ଥିବା ବେଳେ ସାଖାଲ ସୁଦ୍ଧା ୧୭.୭୭ମିଟରରେ ପ୍ରବାହିତ ହେଉଛି । ଉପର ମୁଣ୍ଡରୁ ବନ୍ୟା ଜଳ କମ ହୋଇଥିଲେ ମଧ୍ୟ ତଳିଆ ଅଞ୍ଚଳରେ ବନ୍ୟା ଜଳ ଜମି ରହିଛି । ଧାମନଗର ବ୍ଲକ ଅଧିନରେ ଥିବା ୪ ପଞ୍ଚାୟତ ସୋହଡା, ପଧାନି, ଅର୍ଜୁନପୁର ଓ ହସନାବାଦ ପଞ୍ଚାୟତର ସ୍କୁଲ ଗୁଡ଼ିକ ପ୍ରଭାବିତ ହୋଇଛି । ବ୍ଲକ ଅଧିନରେ ୨୬ଟି ସ୍କୁଲ ପ୍ରଭାବିତ ହୋଇଛି । ସମାନ ଭାବେ ଚାନ୍ଦବାଲି ବ୍ଲକ ଅଧିନରେ ସନ୍ତରାପୁର, ମୁଆଁ, ବିଏସ୍ଏସ, ବାଙ୍କ ମୁଂହା ଓ ବୋଡକ୍ ସ୍କୁଲ ପ୍ରଭାବିତ ହୋଇଥିବା ଯୋଗୁଁ ସ୍କୁଲ ଗୁଡିକୁ ଦୁଇ ଦିନ ଛୁଟି ଘୋଷଣା କରିଛି ପ୍ରଶାସନ ।