
ଭୁବନେଶ୍ୱର:ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀ ଏମ୍ସରେ ଆଜି ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ହୋଇଯାଇଛି। ଅବସ୍ଥା ଗୁରୁତର ଥିବାରୁ ଗତ ଜୁଲାଇ ୨୦ ତାରିଖରେ ତାଙ୍କୁ ଭୁବନେଶ୍ୱରରୁ ଦିଲ୍ଲୀକୁ ଏୟାର ଲିଫ୍ଟ କରାଯାଇଥିଲା। ଭୁବନେଶ୍ୱରର ଏମ୍ସରୁ ତାଙ୍କୁ ଦିଲ୍ଲୀ ଏମ୍ସକୁ ନିଆଯାଇଥିଲା। ଆସନ୍ତାକାଲି ଦିଲ୍ଲୀ ଏମ୍ସରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯିବ। ଶବ ବ୍ୟବଚ୍ଛେଦ ପରେ ତାଙ୍କ ମୃତଦେହକୁ ଓଡ଼ିଶା ଅଣାଯିବ ବୋଲି ସୂଚନା ମିଳିଛି।
ଗତ ଜୁଲାଇ ୧୯ ତାରିଖ (ଶନିବାର)ରେ ପୀଡ଼ିତାଙ୍କ ଦେହରେ ଲାଗିଥିଲା ନିଆଁ। ଆଉ ଠିକ୍ ଦୁଇ ସପ୍ତାହ ପରେ ଆଜି ସେ ଆଖି ବୁଜିଛନ୍ତି। ତାଙ୍କ ମୃତ୍ୟୁ ପରେ ଆଜି ଓଡ଼ିଶା ପୁଲିସ ଦେଇଛି ବଡ଼ ସୂଚନା। କହିଛି, ତଦନ୍ତ ଅନୁଯାୟୀ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନ ଥିବା ସ୍ପଷ୍ଟ ହୋଇଛି। ତଦନ୍ତ ଶେଷ ପର୍ୟ୍ୟାୟରେ ପହଞ୍ଚି ସାରିଛି। ସମସ୍ତଙ୍କୁ ଅନୁରୋଧ, ଦୁଃଖଦ ମୁହୂର୍ତ୍ତରେ ସମ୍ବେଦନଶୀଳ ମନ୍ତବ୍ୟ ନ ଦିଅନ୍ତୁ।
ସେଦିନ ପୀଡ଼ିତାଙ୍କୁ ଉଦ୍ଧାର କରିଥିବା ବ୍ୟକ୍ତି ଜଣଙ୍କ କହିଥିଲେ, ଝିଅଟି ଜଳୁଥିବା ଅବସ୍ଥାରେ ବଞ୍ଚାଅ ବଞ୍ଚାଅ କହି ମୋ ଘର ଭିତରକୁ ଦୌଡ଼ି ଆସିଥିଲା। ତା’ ଦେହରେ ନିଆଁ ଲାଗିଥିବାରୁ ତୁରନ୍ତ ତା’ ଉପରେ ପାଣି ଢାଳି ଦେଇଥିଲି। ନିଆଁ ଲିଭାଇ ତାକୁ ପୋଷାକ ପିନ୍ଧାଇଥିଲି। ତା’ ଶରୀରର ବିଭିନ୍ନ ସ୍ଥାନ ପୋଡ଼ିଯାଇଛି। କାହାକୁ ବହି ଦେଇ ଫେରୁଥିବା ବେଳେ ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ତା’ ଦେହରେ ନିଆଁ ଲଗାଇ ଦେଇଥିଲେ ବୋଲି ସେ କହିଥିଲା। ଦୁର୍ବୃତ୍ତମାନେ ମୁହଁରେ ମୁଖା ପିନ୍ଧିଥିଲେ ବୋଲି ସେ କହିଥିଲେ। ସେମାନଙ୍କୁ ସେ ଚିହ୍ନି ନଥିବା କହିଥିଲେ।