
ବାରିପଦା: ନିଶାସକ୍ତ ପୁଅର ଉନ୍ମତକାଣ୍ଡ । ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ତଥା ବଡ଼ସାହି ବ୍ଲକ୍ ଅନ୍ତର୍ଗତ ମାନଗୋବିନ୍ଦପୁର ପଞ୍ଚାୟତ ଧନାପାଳରେ ଡବଲ୍ ମର୍ଡର । ରୋଗୀଣା ବୃଦ୍ଧ ବାପା-ମା’ଙ୍କୁ ପଥରରେ ଛେଚି ହତ୍ୟା କଲା ପୁଅ । ମୃତ ବାପା ହେଲେ ୮୦ ବର୍ଷ ବୟସ୍କ ହାଡ଼ିବନ୍ଧୁ ସାହୁ ଓ ମା’ ହେଲେ ୭୨ବର୍ଷ ବୟସ୍କ ଶାନ୍ତି ସାହୁ । ଅଭିଯୁକ୍ତ ପୁଅ ହେଲେ ହିମାଂଶୁ ସାହୁ । ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ପୁଅ ଘର ଛାଡି ୩ କି.ମି. ଦୂର ମାଣତ୍ରୀରେ ଅନ୍ୟ ଜଣେ ବିବାହିତା ମହିଳାଙ୍କ ସହିତ ରହୁଥିଲେ । ମଝିରେ ମଝିରେ ଘରକୁ ଯାଇ ପାଟିତୁଣ୍ଡ କରୁଥିଲା । ମଙ୍ଗଳବାର ରାତିରେ ନିଶାସକ୍ତ ଅବସ୍ଥାରେ ପହଞ୍ଚି ପାଟିତୁଣ୍ଡ କରିବା ସହ ରୋଗଶଯ୍ୟାରେ ପଡିଥିବା ବାପାଙ୍କୁ ପ୍ରଥମେ ହତ୍ୟା କରିଥିଲା । ପରେ ଆଶାବାଡି ସହ ପ୍ରତିବାଦ କରୁଥିବା ମା’କୁ ବାରଣ୍ଡା ପାହାଚ ତଳକୁ ଠେଲି ମାଙ୍କଡା ପଥରରେ ଛେଚି ହତ୍ୟା କରିଛି । ସକାଳେ ଘଟଣା ସମ୍ପର୍କରେ ଜାଣି ପଡୋଶୀ ଥାନାକୁ ଖବର ଦେବାରୁ ଘଟଣାସ୍ଥଳରେ ବୈଶିଙ୍ଗା ଥାନା ପୋଲିସ, ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହତ୍ୟା ପରେ ପୁଅ ନିଶାସକ୍ତ ଅବସ୍ଥାରେ ବାରଣ୍ଡା ପଲଙ୍କରେ ଶୋଇଥିବା ବେଳେ ପୋଲିସ ଗିରଫ କରିଛି । ହତ୍ୟାକାଣ୍ଡରେ ବ୍ୟବହୃତ ପଥର ଜବତ କରିଛି । ଅଭିଯୁକ୍ତଙ୍କ ପତ୍ନୀ ଓ ୨ ଝିଅ ଦୀର୍ଘଦିନ ଧରି ସ୍ବାମୀଙ୍କୁ ଛାଡି ବାପଘର ନଡପୁରରେ ରହୁଛନ୍ତି ।