
ଭୁବନେଶ୍ୱର: ଲୋକସେବା ଭବନରେ ଆୟୋଜିତ ବିଡ଼ିଓ ଓ ସିଡିଓଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦେଇଥିବା ମନ୍ତବ୍ୟ ରାଜ୍ୟବାସୀଙ୍କୁ ହତୋତ୍ସାହିତ କରିଛି ବୋଲି ଶଙ୍ଖଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ. ଲେନିନ
ମହାନ୍ତି କହିଛନ୍ତି । ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ ରାଜ୍ୟରେ ବିକାଶ କାମ ତ୍ୱରାନ୍ୱିତ ହୋଇପାରୁନଥିବା ସ୍ୱୀକାର କରିଥିବା ବେଳେ ଅଧିକାରୀ ମାନେ ତାଙ୍କୁ ଅବମାନନା କରୁଥିବା କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ସରକାରୀ ଆଭାସୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉଦ୍ବୋଧନ ଦେବା ସମୟରେ ଅଧିକାରୀମାନେ ଟିଭି ବନ୍ଦ କରିଦେଇ ଲୋକଙ୍କୁ ଚାଲିଯିବାକୁ କହୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ଯଦି ସତ ତାହେଲେ ଏହା ଅତ୍ୟନ୍ତ ସାଙ୍ଘାତିକ ଏବଂ ଏହା କ୍ରିମିନାଲ ନେଗ୍ଲିଜେନ୍ସ ବୋଲି ବିଚାର କରାଯିବ । ପ୍ରଶାସନିକ କଳ କାର୍ଯ୍ୟ କରିବାର ଏକ ନିର୍ଦ୍ଧିଷ୍ଟ ସରକାରୀ ବ୍ୟବସ୍ଥା ଅଛି । ପ୍ରୋଟୋକଲ ଅନୁଯାୟୀ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରଶାସନର ସର୍ବୋଚ୍ଚ କର୍ତ୍ତା । ତେଣୁ ମୁଖ୍ୟମନ୍ତ୍ରୀ ସଭା ସମିତିରେ ଅସହାୟତା ପ୍ରକାଶ କରିବା ପରିବର୍ତ୍ତେ ଅବମାନନା କରୁଥିବା ସରକାରୀ ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଇ ନିଜ ନେତୃତ୍ୱର ପରିଚୟ ଦିଅନ୍ତୁ । ମୁଖ୍ୟମନ୍ତ୍ରୀଙ୍କ ଅସହାୟତା ରାଜ୍ୟ ପାଇଁ ଶୁଭଙ୍କର ନୁହେଁ । ରାଜ୍ୟର ସର୍ବୋଚ୍ଚ କର୍ତ୍ତା ଯଦି ଅସହାୟ ହେବେ, ତାହେଲେ ସାଢେ଼ ୪ କୋଟି ଓଡିଶାବାସୀ କାହା ଉପରେ ଭରସା କରିବେ ବୋଲି ଡ. ମହାନ୍ତି ପ୍ରଶ୍ନ କରିଥିଲେ । ଡ. ମହାନ୍ତି ଆହୁରି କହିଥିଲେ, ଆଜି ମୁଖ୍ୟମନ୍ତ୍ରୀ ନିଜେ ସ୍ୱୀକାର କରିଛନ୍ତି, ରାଜ୍ୟରେ ବିଜେପି ସରକାର ଲୋକଙ୍କୁ ସୁଶାସନ ଦେବାରେ ଓ ରାଜ୍ୟର ବିକାଶକୁ ତ୍ୱରାନ୍ୱିତ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଦିନିକୁ ଦିନ ବିପର୍ଯ୍ୟସ୍ତ ହୋଇ ପଡିଛି । ରାଜ୍ୟରେ ଦୁଷ୍କର୍ମ ଓ ହତ୍ୟା ଘଟଣାର ଅହେତୁକ ବୃଦ୍ଧି ପାଇଛି । ଗୃହ ମନ୍ତ୍ରାଳୟର ଦାୟିତ୍ୱରେ ନିଜେ ମୁଖ୍ୟମନ୍ତ୍ରୀ ଥିଲେ ମଧ୍ୟ ସ୍ଥିତିରେ କୌଣସି ସୁଧାର ଆସୁନାହିଁ । ତେଣୁ ମୁଖ୍ୟମନ୍ତ୍ରୀnପ୍ରଶାସନିକ କଳ ଉପରେ ନିୟନ୍ତ୍ରଣ ରଖି ଶାସନ ବ୍ୟବସ୍ଥାକୁ ସଜାଡନ୍ତୁ ।