
ବିହାର : ବିହାରରେ ୩ ଜଣ ପାକିସ୍ତାନୀ ଆତଙ୍କବାଦୀ ନେପାଳ ସୀମା ଦେଇ ମୋତିହାରୀ ଜିଲ୍ଲାକୁ ପଶିଥିବା ସୂଚନା ମିଳିବା ପରେ ସୀମାନ୍ତ ଅଞ୍ଚଳରେ ପୁଲିସର କଡାକଡି ଚେକିଂ ଚାଲିଛି । ଗୁଇନ୍ଦା ସଂସ୍ଥାର ସୁଚନା ପରେ ପୋଲିସ ହାଇଆଲର୍ଟରେ ରହିଥିବା ସହ ଗାଡିମୋଟର ଯାଞ୍ଚ ଚାଲିଛି । ଏହା ସହ ସନ୍ଦିଗ୍ଧ ବାବଦରେ ଜଣାଇବାକୁ ୫୦ ହଜାର ଟଙ୍କାର ପୁରସ୍କାର ଘୋଷଣା ମଧ୍ୟ କରାଯାଇଛି । ୩ ଆତଙ୍କୀଙ୍କ ନାମ ସହ ଫଟୋ ଜାରି କରିଛି ପୁଲିସ । ୩ ଆତଙ୍କୀ ରାୱଲପିଣ୍ଡି, ଉମରକୋଟ ଓ ବାହାୱଲପୁରର ବୋଲି ସୂଚନା ମିଳିଛି ।ଏହି ତିନି ଆତଙ୍କବାବାଦୀ ହେଲେ ରାୱଲପିଣ୍ଡିର ହସନାନ ଅଲ୍ଲୀ, ଉମେରକୋଟର ଆଦିଲ ହୁସେନ ଏବଂ ବାହାୱଲପୁରର ମହମ୍ମଦ ଉସମାନ । ଏନେଇ ବିହାର ପୁଲିସ ପକ୍ଷରୁ ସୂଚନା ଦିଆଯିବା ସହ ସେମାନଙ୍କ ଫଟୋ ଜାରି କରାଯାଇଛି । ଗୁଇନ୍ଦା ବିଭାଗର ସୂଚନା ମୁତାବକ, ଆତଙ୍କବାଦୀମାନେ ଅଗଷ୍ଟ ଦ୍ବିତୀୟ ସପ୍ତାହରେ ନେପାଳର କାଠମାଣ୍ଡୁରେ ପହଞ୍ଚିଥିଲେ । ଗତ ସପ୍ତାହରେ ସେମାନେ ବିହାରରେ ପ୍ରବେଶ କରିଛନ୍ତି । କୌଣସି ସନ୍ଦେହଜନକ ଗତିବିଧି ଦେଖିଲେ ତୁରନ୍ତ ଆବଶ୍ୟକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗୁଇନ୍ଦା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଆତଙ୍କବାଦୀଙ୍କ ସମ୍ପର୍କରେ ସୂଚନା ମିଳିବା ପରେ ବିହାର ସୀମାବର୍ତ୍ତୀ ଅଞ୍ଚଳରେ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି।