
ଭଦ୍ରକ : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକରେ ବଡ଼ଧରଣର ବ୍ୟାଙ୍କ ଡକାୟତି। ଭଦ୍ରକ-ଚାନ୍ଦବାଲି ରାସ୍ତାରେ ଥିବା ଏୟୁ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କରୁ ଡକାୟତି ହୋଇଛି। ବ୍ୟାଙ୍କର ୪ ଜଣ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ୭ ଲକ୍ଷ ୫୨ ହଜାର ଟଙ୍କା ଲୁଟି ନେଇଛନ୍ତି । ଏନେଇ ତିହିଡ଼ି ଥାନାରେ ଅଭିଯୋଗ ହୋଇଛି । ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଗୁରୁବାର ‘ଏୟୁ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ’ରୁ ଏହି ଚୋରି ହୋଇଛି । ଗୁରୁବାର ଭୋର ସମୟରେ ବ୍ୟାଙ୍କ ଭିତରେ କର୍ମଚାରୀମାନେ ରହୁଥିବା ବେଳେ ଏହି ଡକାୟତି ହୋଇଛି। ଲୁଟେରାମାନେ କ୍ୟାସିୟର ଦେବାଶିଷ୍ ରାଉତଙ୍କ ମୁଣ୍ଡରେ ବନ୍ଧୁକ ଲଗାଇବା ସହ ଅନ୍ୟ ୩ଜଣ କର୍ମଚାରୀଙ୍କୁ ବାନ୍ଧି ଲୁଟ୍ କରିଛନ୍ତି । ଏୟୁ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କରୁ ମୋଟ୍ ୭ଲକ୍ଷ ୫୨ ହଜାର ଟଙ୍କା ଚୋରି ହୋଇଛି । ଲୁଟ୍ ବେଳେ ୩ ଜଣ ମୁଣ୍ଡରେ ହେଲମେଟ୍ ପିନ୍ଧିଥିଲେ ଏବଂ ଅନ୍ୟ ଜଣେ ମୁହଁରେ କପଡା ବନ୍ଧିଥିଲା । ସମସ୍ତେ ଓଡ଼ିଆରେ କଥାବାର୍ତ୍ତା ହେଉଥିବାରୁ ରାଜ୍ୟ ଲୁଟେରା ବୋଲି ସନ୍ଦେହ କରାଯାଉଛି । ସିସିଟିଭି କ୍ୟାମେରାରୁ ଜଣେ ଡକାୟତଙ୍କ ମୁହଁ ସ୍ପଷ୍ଟ ଭାବେ ଜଣାପଡ଼ୁଛି । ବ୍ୟାଙ୍କ ମ୍ୟାନେଜର ମଳୟ ସାହୁଙ୍କ ଏତଲା ପରେ ପୋଲିସ ବ୍ୟାଙ୍କରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।