
ବାଲିପାଟଣା: ଭିଣୋଇକୁ ଖଣ୍ଡାରେ ହାଣି ହତ୍ୟା କଲା ଶଳା। ଏଭଳି ଏକ ଅଭାବନୀୟ ଘଟଣା ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ନରଦା ବଜାରରେ। ବଜାର ଉପରେ ଭିଣୋଇକୁ ଖଣ୍ଡାରେ ହାଣି ହତ୍ୟା କରିଛି ଶଳା। ଫେରାର୍ ହେଉଥିବା ବେଳେ ହତ୍ୟାକାରୀ ସୟଦ ଅଲ୍ଲୀକୁ ଆଇତଳଙ୍ଗ ଗ୍ରାମରୁ କାବୁ କରିଛି ବାଲିପାଟଣା ପୋଲିସ । ମୃତକ ରେଙ୍ଘାଲୋ ଗ୍ରାମର ମୁସ୍ତାକିନ୍ ଅଲ୍ଲୀ।
ସୂଚନା ଅନୁଯାୟୀ, ବୁଧବାର ସମୟରେ ମୁସ୍ତାକିନ୍ ନରଦା ବଜାରରେ ନିଜ ବଡ଼ ଶଳା ଦୋକାନରେ ବସିଥିଲେ । ଏହି ସମୟରେ ତାଙ୍କ ସାନ ଶଳା ସୟଦ ଅଲ୍ଲୀ ପହଁଞ୍ଚି ମୁସ୍ତାକିନଙ୍କୁ ଗାଳି ଗୁଲଜ କରିଥିଲେ । ପରେ ଏକ ଧାରୁଆ ଖଣ୍ଡା ଆଣି ମୁସ୍ତାକିନଙ୍କୁ ଚୋଟ ପକାଇଥିଲେ। ପ୍ରଥମ ଚୋଟରେ ମୁସ୍ତାକିନଙ୍କ ପାପୁଲି ଛିଡି ଯାଇଥିଲା ଏବଂ ସେ ତଳେ ପଡ଼ିଯାଇଥିଲେ। ପରେ ସୟଦ ତାଙ୍କ ମୁଣ୍ଡକୁ ଚୋଟ ପକାଇଥିଲା। ଏଥିରେ ଘଟଣା ସ୍ଥଳରେ ହିଁ ମୁସ୍ତାକିନ୍ଙ୍କର ମୃତ୍ୟୁ ହୋଇଥିଲା।
ସୟଦଙ୍କ ପରିବାର ୬ ମାସ ପୂର୍ବେ ଏକ ଜମି ବିକ୍ରି କରିଥିଲେ। ପୁନର୍ବାର ଅନ୍ୟ ଏକ ଜମି ବିକ୍ରି କରିବାକୁ ସୟଦ ଜିଦ୍ କରିଥିଲେ । ମାତ୍ର ତାଙ୍କ ଭିଣୋଇ ଏହାକୁ ବିରୋଧ କରିଥିଲେ । ଏହାକୁ ନେଇ ସୟଦ ଏବଂ ମୁସ୍ତାକିନ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଯାହାକୁ ନେଇ ସୟଦ ହତ୍ୟାକାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି।