
ବାଲେଶ୍ବର: ଭୋଗରାଇ ପୋଲିସର ଦବଙ୍ଗଗିରି। ମହଙ୍ଗା ପଡ଼ିଲା ମାତ୍ରାଧିକ କାର୍ୟ୍ୟାନୁଷ୍ଠାନ । ଜଣେ ବ୍ୟକ୍ତିଙ୍କ ହାତ, ଗୋଡ଼ରେ ବେଡି ପକେଇ ନିର୍ଦ୍ଧୁମ ମାଡ଼। ପୋଲିସର ଏହି ମାତ୍ରାଧିକ କାର୍ୟ୍ୟାନୁଷ୍ଠାନ ପାଇଁ ନିଲମ୍ବିତ ହେଲେ ଭୋଗରାଇ ଥାନା ଅଧିକାରୀ ଶ୍ରୀବଲ୍ଲଭ ସାହୁ। ଘଟଣା ସମ୍ପର୍କରେ ଖବର ପାଇ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଥାନାରେ ପହଞ୍ଚି ବାଲେଶ୍ୱର ଏସପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ ଭୋଗରାଇ ଥାନା ଅଧିକାରୀ ଶ୍ରୀବଲ୍ଲଭ ସାହୁଙ୍କ ବିରୋଧରେ ହୋଇଛି ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ।ବାଇକ୍ ଅଦଳବଦଳକୁ ନେଇ ଭୋଗରାଇ ବ୍ଲକ ଜୟରାମପୁର ଗାଁର କାର୍ତ୍ତିକ ଭୋଳଙ୍କ ନାମରେ ଜଣେ ବ୍ୟକ୍ତି ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ ନ କରି, ଏପରିକି କୌଣସି ମାମଲା ଋଜୁ ନକରି, ଏଭଳି ଅମାନସିକ ଅତ୍ୟାଚାର ସହିତ ନିଜର ପତିଆର ଜାହିର କରିବା ପାଇଁ ଦୁଇ ଦିନ ଧରି କାର୍ତ୍ତିକଙ୍କୁ ନିର୍ଦ୍ଧୁମ ମାଡ଼ ମାରିବା ସହ ଗୋଡ଼ରେ ବେଡି ପକାଇ ଥାନାରେ ଅଟକ ରଖିଥିଲେ । ଏହାପରେ ତାଙ୍କ ପରିବାର ଲୋକେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଏ ବିଷୟରେ ଜଣାଇଥିଲେ । ଖବର ପାଇଁ ସଙ୍ଗେ ସଙ୍ଗେ ଭୋଗରାଇ ଥାନାରେ ପହଞ୍ଚିଥିଲେ ସେ । କାର୍ତ୍ତିକଙ୍କ ହାତ ଓ ଗୋଡ଼ରେ ବେଡ଼ି ପଡ଼ିଥିବା ଦେଖି ଉଦବେଗ ପ୍ରକାଶ କରିଥିଲେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ । ଏନେଇ ସେ ତୁରନ୍ତ ବାଲେଶ୍ୱର ଏସପି ରାଜ ପ୍ରସାଦଙ୍କୁ ଭିଡିଓ କଲ ମାଧ୍ୟମରେ ସବୁକିଛି ଦେଖାଇଥିଲେ । ପରେ ଏସପିଙ୍କ ନିର୍ଦ୍ଦେଶରେ ସମ୍ପୃକ୍ତ ବ୍ୟକ୍ତି ଥାନାରୁ ମୁକୁଳିଥିଲେ । ଉଭୟ ପକ୍ଷଙ୍କ ଉପସ୍ଥିତିରେ ଏହି ଘଟଣାର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଏସପି । ଅନ୍ୟପଟେ ଏହି ଘଟଣାକୁ ରାଜ୍ୟ ପୋଲିସ ଗୁରୁତର ସହ ନେଇଥିବା ବେଳେ ଭୋଗରାଇ ଥାନା ଅଧିକାରୀ ଶ୍ରୀବଲ୍ଲଭ ସାହୁଙ୍କୁ ନିଲମ୍ବିତ କରାଯାଇଥିବା ଡିଜିପି ଏକ ଚିଠି ମାଧ୍ୟମରେ ସୂଚନା ଦେଇଛନ୍ତି ।