
ଭୁବନେଶ୍ବର: ଓଡ଼ିଶାରେ ଆସୁ ଉତ୍ତରପ୍ରଦେଶ ଭଳି ଆଇନ । ଅପରାଧୀଙ୍କୁ ସାବାଡ଼ କରିବା ଲାଗି ପଦକ୍ଷପ ନିଅନ୍ତୁ ସରକାର । ରାଜ୍ୟରେ ବଢି ବଢି ଚାଲିଛି ସଂଗଠିତ ଅପରାଧ । ନାରୀ ବିରୋଧୀ ଅପରାଧ ମଧ୍ୟ ସୀମା ଟପିଲାଣି । ପ୍ରତ୍ୟେକ ଦିନ ଅପରାଧ ଓ ଅପରାଧୀ ନୂଆ ରୂପରେ ଆସୁଛନ୍ତି । ନାକେ ଦମ ହେଲେଣି ସରକାର ଓ ପ୍ରଶାସନ । ତେଣୁ ଅପରାଧୀଙ୍କୁ ଦମନ କରିବା ଲାଗି ଓଡିଶାରେ ଆବଶ୍ୟକ ଉତ୍ତରପ୍ରଦେଶ ଗ୍ୟାଙ୍ଗଷ୍ଟର ନିରୋଧ ଭଳି ଆଇନ । ଏନେଇ ଓଡିଶା ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଦାବି ଜଣାଇଛନ୍ତି ।ରାଜ୍ୟରେ ବଢି ଚାଲିଛି ସଂଗଠିତ ଅପରାଧ । ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଓଡିଶା ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇ । ଏହି ମର୍ମରେ ଉପବାଚସ୍ପତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ସହ ୪ ଫର୍ଦ୍ଦ ଯୁକ୍ତ ଚିଠି ପ୍ରଦାନ କରିଛନ୍ତି ଉପବାଚସ୍ପତି ଭବାନୀ ଶଙ୍କର ଭୋଇ । ଉପବାଚସ୍ପତି ଚିଠିରେ ଦେଇଥିବା ପ୍ରସ୍ତାବ ଅନୁସାରେ, ଓଡ଼ିଶାରେ ସଂଗଠିତ ଅପରାଧ ଏବଂ ଅସାମାଜିକ କାର୍ୟ୍ୟକଳାପକୁ ରୋକିବା ପାଇଁ ଉତ୍ତରପ୍ରଦେଶ ଗ୍ୟାଙ୍ଗଷ୍ଟର ଆଇନ ଭଳି ଓଡ଼ିଶା ଗ୍ୟାଙ୍ଗଷ୍ଟର ଏବଂ ଅସାମାଜିକ କାର୍ୟ୍ୟକଳାପ ନିବାରଣ ଆଇନ ପ୍ରଣୟନ ଆବଶ୍ୟକ ରହିଛି । କାରଣ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସଂଗଠିତ ଅପରାଧ, ଅପରାଧିକ କାର୍ୟ୍ୟକଳାପ ଓ ଗ୍ୟାଙ୍ଗ ପରିଚାଳିତ ଅପରାଧ ବୃଦ୍ଧି ପାଇବାରେ ଲାଗିଛି ।ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜମି ହଡ଼ପ, ଚାନ୍ଦା ଆଦାୟ, ସୁପାରି ହତ୍ୟା, ବେଆଇନ ଖଣି କାରବାର, ନିଶାଦ୍ରବ୍ୟ ଚାଲାଣ ଏବଂ ସମନ୍ୱିତ ଅପରାଧୀ ସିଣ୍ଡିକେଟ ଭଳି ଘଟଣା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ପ୍ରକ୍ରିୟାଗତ ବିଳମ୍ବ ଏବଂ ଆଇନର ଗଳାବାଟ ଦେଇ ଖସିଯିବାର ସୁଯୋଗ ନେଇ ଅପରାଧୀମାନେ ଏସବୁ କାର୍ୟ୍ୟ ଘଟାଇ ଚାଲିଛନ୍ତି । ଏହି ଭଳି ବିପଦର ମୁକାବିଲା ଏବଂ ଜନସାଧାରଣଙ୍କ ଜୀବନ ଜୀବିକା ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଉତ୍ତରପ୍ରଦେଶ ଢାଞ୍ଚାରେ ସ୍ୱତନ୍ତ୍ର ଆଇନ ପ୍ରତିଷ୍ଠା କରିବାର ଆବଶ୍ୟକତା ଅନୁଭବ ହେଉଛି । ଏହି ଆଇନ ପ୍ରଣୟନ ହେଲେ ସଂଗଠିତ ଅପରାଧୀ ଗୋଷ୍ଠୀ ଗଠନ ଏବଂ କାର୍ୟ୍ୟକୁ ରୋକା ଯାଇପାରିବ । ଗ୍ୟାଙ୍ଗ ନେତା ଏବଂ ସଦସ୍ୟଙ୍କ ଉପରେ ପ୍ରଭାବଶାଳୀ ଦଣ୍ଡବିଧାନ ଏବଂ ପ୍ରତିରୋଧ ସୁନିଶ୍ଚିତ କରିହେବ । ଆଇନଗତ ଢାଞ୍ଚା ମାଧ୍ୟମରେ ସାର୍ବଜନୀନ ଶୃଙ୍ଖଳା, ସୁରକ୍ଷା ଏବଂ ସମ୍ପତ୍ତିକୁ ସୁରକ୍ଷିତ ରଖା ଯାଇପାରିବ ।